ଆରବିଆଇର ଦୁଇଟି ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ: ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଉପଲବ୍ଧ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନା ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ସମାରୋହରେ ଉଦବୋଧନ ଦେଇ ମହାମାରୀ ସମୟରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ଭଳି ସଂସ୍ଥାନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଅମୃତ ମହୋତ୍ସବର ଏହି ସମୟ, ଏକବିଂଶ ଶତାବ୍ଦୀର ଏ ଦଶନ୍ଧି ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ। ଏଭଳି ପରିସ୍ଥିତିରେ ଆରବିଆଇର ଭୂମିକା ସୁବୁଠୁ ମହତ୍ତ୍ୱପୂର୍ଣ୍ଣ। ଯୋଜନାଗୁଡ଼ିକ ଦେଶରେ ନିବେଶର ପରିସର ବୃଦ୍ଧି କରିବ ଏବଂ ପୁଞ୍ଜି ବଜାରକୁ ନିବେଶକମାନଙ୍କ ପାଇଁ ଅଧିକ ସହଜ ଓ ନିରାପଦ କରିବ। ରିଟେଲ ଡାଇରେକ୍ଟ୍ ଯୋଜନା ସରକାରୀ ସିକ୍ୟୁରିଟିଜ୍ ବା ପ୍ରତିଭୂତିରେ ନିବେଶ ଲାଗି ଦେଶର ଛୋଟ ନିବେଶକମାନଙ୍କୁ ଏକ ସରଳ ଓ ସୁରକ୍ଷିତ ମାଧ୍ୟମ ଯୋଗାଇ ଦେବ। ଅନୁରୂପ ଭାବେ, ଆଜି ଶୁଭାରମ୍ଭ ହୋଇଥିବା ସମନ୍ୱିତ ଲୋକପାଳ ଯୋଜନା ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଲୋକପାଳ ବ୍ୟବସ୍ଥାକୁ ସାକାର ରୂପ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅଭିଯୋଗ ସମାଧାନ ବ୍ୟବସ୍ଥା ଏକ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ। ସମନ୍ୱିତ ଲୋକପାଳ ଯୋଜନା ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଦୀର୍ଘଦିନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ରିଟେଲ ଡାଇରେକ୍ଟ୍ ଯୋଜନା ଅର୍ଥବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାର ପ୍ରୟାସକୁ ସୁଦୃଢ଼ କରିବ କାରଣ ଏହା ମଧ୍ୟବିତ୍ତ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୟୁରିଟିଜରେ ପ୍ରତ୍ୟକ୍ଷ ଓ ନିରାପଦ ଭାବେ ସାମିଲ କରିବ। ବିଗତ ୭ ବର୍ଷ ମଧ୍ୟରେ, ପାରଦର୍ଶିତାର ସହ ଏନପିଏ ଗୁଡ଼ିକୁ ଚିହ୍ନଟ କରାଯାଉଛି, ସମାଧାନ ଓ ଅସୁଲି ଉପରେ ଗୁରୁତ୍ୱାରୋପ କରାଯାଉଛି, ରାଷ୍ଟ୍ରାୟାତ୍ତ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକର ପୁନଃ ପଞ୍ଜୀକରଣ କରାଯାଉଛି, ଆର୍ଥିକ ବ୍ୟବସ୍ଥା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଗୋଟିଏ ପରେ ଗୋଟିଏ ସଂସ୍କାର ଲାଗୁ କରାଯାଉଛି। ସମବାୟ ବ୍ୟାଙ୍କଗୁଡ଼ିକୁ ଆରବିଆଇର ପରିଚାଳନା ଅଧୀନକୁ ଅଣାଯିବା ଯୋଗୁଁ ବ୍ୟାଙ୍କଗୁଡ଼ିକର ପ୍ରଶାସନରେ ସୁଧାର ଆସିଛି ଏବଂ ଜମାକାରୀମାନଙ୍କ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହେଉଛି ବୋଲି ସେ କହିଥିଲେ।

ଗତ କିଛି ବର୍ଷ ଧରି, ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଆର୍ଥିକ କ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଠାରୁ ଆରମ୍ଭ କରି ପ୍ରଯୁକ୍ତିର ସମନ୍ୱୟକୁ କାର୍ଯ୍ୟକାରୀ କରାଯାଉଛି। ବ୍ୟାଙ୍କସେବା, ପେନସନ ଓ ବୀମା ସେବାର ସୁବିଧା ଦେଶର ସାଧାରଣ ନାଗରିକ, ଗରିବ ପରିବାର, ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ-ବଞ୍ଚିତ-ପଛୁଆବର୍ଗ ଆଦିଙ୍କ ନିକଟରେ ପହଞ୍ଚିଛି। ୟୁପିଆଇ କାର୍ଯ୍ୟକାରୀ ହେବା ଫଳରେ ଭାରତ ଖୁବ କମ୍ ସମୟ ମଧ୍ୟରେ ଡିଜିଟାଲ କାରବାର କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ପାଲଟି ଯାଇଛି। ମାତ୍ର ୭ ବର୍ଷ ମଧ୍ୟରେ, ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି। ଆଜି ଆମର ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଧରି ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ମିଳିପାରୁଛି ବୋଲି ମୋଦୀ କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।