ଆମେରିକାନ ଏୟାରଲାଇନ୍ସ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାନ ଏୟାରଲାଇନ୍ସରେ ଭାରତୀୟ ଯାତ୍ରୀଙ୍କ ଅଶୋଭନୀୟ ଆଚରଣ। ମଝି ଆକାଶରେ ବିମାନ ଉଡୁଥିବା ବେଳେ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ ଜଣଙ୍କ। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଳାଇବା ପରେ ଯାତ୍ରୀଙ୍କୁ କାବୁ କଲା ପୋଲିସ। ନିଶାସକ୍ତ ଅବସ୍ଥାରେ ଭାରତୀୟ ଯାତ୍ରୀ ଜଣଙ୍କ ଏପରି ଆଚରଣ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଆମେରିକାନ ଏୟାରଲାଇନ୍ସର ଏକ ବିମାନ ନ୍ୟୁୟର୍କରୁ ଦିଲ୍ଲୀ ଉଡାଣ ଆରମ୍ଭ କରିଥିଲା। ଏହି ସମୟରେ ଜଣେ ଭାରତୀ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ବିମାନରେ ଯାତ୍ରା କରୁଥିଲେ । ହଠାତ ତାଙ୍କ ନିକଟରେ ବସିଥିବା ସହ ଯାତ୍ରୀଙ୍କ ଉପରେ ସେ ପରିସ୍ରା କରିଦେଇଥିଲେ । ଏହାପରେ ଯାତ୍ରୀ ଜଣଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଧରିଥିଲା । ତାଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ସହ ଯାତ୍ରୀଙ୍କ ବିବୃତ୍ତି ରେକର୍ଡ କରିଛି । ଉକ୍ତ ଯାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ଏହି ଘଟଣାରେ ଯାତ୍ରୀ ଜଣଙ୍କ ବିରୋଧରେ ଥାନାରେ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।