ଛଟେଇ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଟିସିଏସ୍‌

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ବରେ ଜାରି ରହିଛି ମାନ୍ଦାବସ୍ଥା । ଅନେକ ବଡବଡ କମ୍ପାନୀରେ ମାନ୍ଦାବସ୍ଥା କାରଣରୁ ଅନେକ କର୍ମଚାରୀ ନିଜ ରୋଜଗାର ହରାଇଛନ୍ତି । ବିଶ୍ବର ବଡବଡ କମ୍ପାନୀ ଯେପରିକି ଆମାଜନ, ୟାହୁ, ବାଇଜୁ, ପେପସି ପରି କମ୍ପାନୀ ତଥା ସର୍ଚ୍ଚ ଇଞ୍ଜିନ ଗୁଗୁଲ ପରି ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛି । ତେବେ ଏହା ମଧ୍ୟରେ ଟାଟା କନସଲଟାନ୍ସି ସର୍ଭିସେସ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି ।

କମ୍ପାନୀର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କର୍ମଚାରୀଙ୍କ ଛଟେଇକୁ ନେଇ କମ୍ପାନୀ ଯୋଜନା ନାହିଁ । ଟିସିଏସ କମ୍ପାନୀ ସବୁବେଳ ପ୍ରତିଭାମାନଙ୍କ ଉପରେ ବିଶ୍ବାସ କରେ । ପ୍ରତିଭାମାନଙ୍କୁ ଗ୍ରୁମିଙ୍ଗ୍ କରିବାରେ ସାହାଯ୍ୟ କରେ । ତେଣୁ ଟାଟା କନସଲଟାନ୍ସି ସର୍ଭିସେସ ଚାକିରି ହରାଇଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି । ସେ ଚାକିରି ହରାଇଥିବା କର୍ମଚାରୀଙ୍କୁ ଷ୍ଟାର୍ଟଅପ୍ କରିବାରେ ସହଯୋଗ କରିବେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ମାନବ ସମ୍ବଳ ଅଧିକାରୀ ମିଲିନ୍ଦ ଲକ୍କାଦ କହିଛନ୍ତି ।

ଆଇଟି କମ୍ପାନୀଗୁଡିକ ଅନେକ କାରଣ ହେତୁ କର୍ମଚାରୀଙ୍କୁ ଛଟେଇ କରିଛି । ଆମେ ତାହା କରୁନାହୁଁ, କମ୍ପାନୀରେ ପ୍ରତିଭା ଉପରେ ବିଶ୍ବାସ କରେ । ଏହାସହ ମିଲିନ୍ଦ ଲକ୍କାଦ କହିଛନ୍ତି,‘‘ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି, କାରଣ ସେମାନେ ଆବଶ୍ୟକ ଠାରୁ ଅଧିକ ନିଯୁକ୍ତି ଦେଉଛନ୍ତି । ଏବଂ କମ୍ପାନୀର ଲାଭ ନ ହେଲେ ସେମାନଙ୍କୁ ଛଟେଇ କରୁଛନ୍ତି । କିନ୍ତୁ ଟିସିଏସ୍ ବିଶ୍ବାସ କରେ ଯେ କମ୍ପାନୀର କର୍ମଚାରୀ କମ୍ପାନୀର ସଦସ୍ୟ । ତେଣୁ ସେମାନଙ୍କୁ ଉତ୍ପାଦନକାରୀ ଏବଂ ମୂଲ୍ୟ ପାଇବା କମ୍ପାନୀର ଦାୟିତ୍ବ । ସେ ସ୍ପଷ୍ଟ କରିଛନ୍ତି ଟାଟା କନସଲଟାନ୍ସି ସର୍ଭିସେସ ଗତ ବର୍ଷ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି ।

ନିକଟରେ ୟାହୁ ଏହାର ୧୬୦୦ କର୍ମଚାରୀଙ୍କ ଛଟେଇ କରିଛି । ଲର୍ଣ୍ଣିଂ ଆପ ବାୟଜୁସ ଫେବୃଆରୀ ୨ ତାରିଖରେ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା । ଏହି କ୍ରମରେ ସାମିଲ ହେବାକୁ ଯାଉଛି ମାଇକ୍ରୋସଫ୍ଟ ସଫ୍ଟୱେୟାର ୫% ଅର୍ଥାତ୍ ପ୍ରାୟ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରୁଛି । ଏଲନ୍ ମସ୍କଙ୍କ ମାଲିକାନା ଥିବା ଟ୍ବିଟର ମଧ୍ୟ ପ୍ରାୟ ୩୭୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି ।

ତେବେ କୋଭିଡ ମହାମାରୀ ପରେ ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା ସମୟରେ ବିଶ୍ବର ଏପରି ବଡ ବଡ କମ୍ପାନୀଙ୍କ ଛଟେଇ ପ୍ରକ୍ରିୟାକୁ ନେଇ ନାନା ଆଶା ଆଶଙ୍କା ସୃଷ୍ଟି ହେଉଛି । ପ୍ରତିଟି କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି କିମ୍ବା ସୁରକ୍ଷିତ ଚାକିରି ପାଇଁ ନିଶ୍ଚିତ ରୂପେ ନିୟମ ପ୍ରଣୟନର ଆବଶ୍ୟକତା ପଡିଛି ।