ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱରର ସହିଦ ନଗରସ୍ଥିତ ଶତଭିଷା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସୁଗବେଷିକା ତଥା ଛାତ୍ରୀ ଅଧ୍ୟାପିକା ବାସନ୍ତୀ ମହାନ୍ତିଙ୍କ ଉଦ୍ୟମରେ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଅଧ୍ୟାପିକା ଡା. ଶର୍ମିଷ୍ଠା ମହାପାତ୍ର କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ । ପ୍ରଥମେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଫଟୋରେ ପୁଷ୍ପ ଅର୍ପଣ ପରେ ତାଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ଓଡ଼ିଶା ଲେଖିକା ସଂସଦର ସଂପାଦିକା ଡା. ଶକୁନ୍ତଳା ବଳିୟାରସିଂହ, ଡା. ରମେଶ ବେହେରା, ପ୍ରାଧ୍ୟାପିକା ବାସନ୍ତୀ ମହାନ୍ତି, ଡା. ଦେବେନ୍ଦ୍ରନାଥ ମାନସିଂହ, ଡା. ସତ୍ୟ ଷଡ଼ଙ୍ଗୀ, କବି ମଞ୍ଜୁଳା କର, ସାହିତ୍ୟ ସଂଗଠିକା ମମତା ଷଡ଼ଙ୍ଗୀ ଓ ଡା. ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ କୃତି ଓ କୃତିତ୍ୱର ଆକଳନ କରିଥିଲେ । ଗବେଷଣା, ସମ୍ପାଦନା, ସମାଲୋଚନା, ପୋଥି ଉଦ୍ଧାର ଓ ଅଧ୍ୟୟନ କ୍ଷେତ୍ରରେ ପ୍ରଫେସର ଆଚାର୍ଯ୍ୟଙ୍କର ଯଥେଷ୍ଟ ଅବଦାନ ରହିଥିବା କଥାକୁ ଉପସ୍ଥିତ ଅତିଥିଗଣ ବଖାଣି ଥିଲେ । ଭବିଷ୍ୟତ ପିଢ଼ିକୁ ଏଭଳି ଗବେଷକଙ୍କ ଗବେଷଣା ଉଚିତ୍ ମାର୍ଗ ଦେଖାଇବ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ସ୍ମୃତି ସଭାରେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟଙ୍କୁ ଶାବ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପିଥିବା ଅତିଥି ଓ ଶୋତୃମଣ୍ଡଳୀଙ୍କୁ ଅଧ୍ୟାପିକା ଡା. ସଂଘମିତ୍ରା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।