ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଆଜି ସକାଳେ ଏକ କାର ଦୁର୍ଘଟଣାରେ ଗମ୍ଭୀର ରୂପେ ଆହତ ହୋଇଛନ୍ତି । ଦୁର୍ଘଟଣା ଯୋଗୁ ଋଷଭଙ୍କ ଗୋଡ଼ ଫ୍ରେକଚର ହେବାସହ ମୁଣ୍ଡରେ ଆଘତ ଲାଗିଛି । କାରରେ ନିଆଁ ଲାଗିବା ଫଳରେ ଋଷଭଙ୍କ ପିଠିର କିଛି ଅଂଶ ମଧ୍ୟ ପୋଡ଼ି ଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଋଷଭ ପନ୍ତ ନିଜ ମର୍ସିଡିଜ କାର ଯୋଗେ ଦିଲ୍ଲୀରୁ ନିଜ ଘର ରୁଡକୀକୁ ଯାଉଥିଲେ । ଗାଡ଼ି ଚଳାଉଥିବା ସମୟରେ ଆଖି ଲାଗିଯିବା ଯୋଗୁ ଗାଡ଼ିଟି ଡିଭାଇଡରରେ ପିଟି ହୋଇଥିଲା । ଏହାର କିଛି ସମୟ ମଧ୍ୟରେ ଗାଡ଼ିଟି ହୁ ହୁ ହୋଇ ଜଳି ଯାଇଥିଲା । ଭାଗ୍ୟବଶତଃ, ଋଷଭ ୱିଣ୍ଡୋ କାଚ ଭାଙ୍ଗି ଗାଡ଼ିରୁ ବାହାରିବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରେ ପ୍ରଥମେ ୧୦୮ ହରିଦ୍ୱାର ପୁଲିସ ପହଞ୍ଚିଥିଲା । ଏଠାରୁ ତାଙ୍କୁ ପ୍ରଥମେ ରୁଡକୀର ସକ୍ଷମ୍ ହସ୍ପିଟାଲ ନିଆଯାଇଥିଲା । ପରେ ତାଙ୍କୁ ଦେହରାଦୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଏବେ ତାଙ୍କୁ ଋିଷିକେଷସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଛନ୍ତି ।