ଚାଷ ଓ ଚାଷୀଙ୍କୁ ସ୍ୱାବଲମ୍ବି କରିବ ଜୈବିକ କୀଟନାଶକ

ସୋଆ ଛାତ୍ରଗୋଷ୍ଠୀଙ୍କ ଦ୍ୱାରା ଗ୍ରାମାଞ୍ଚଳ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ

ଭୁବନେଶ୍ୱର: କୃଷି ଓ କୃଷି କାର୍ଯ୍ୟରେ କେମିକାଲ ନୁହଁ ବରଂ ଜୈବିକ କୀଟନାଶକ ବ୍ୟବହାରକୁ ଗୁରୁତ୍ୱ ଦେଲେ କ୍ଷେତ ଓ କୃଷକର ଲାଭ ଅଧିକ ହେବ। ଆଉ ଏହି ବାର୍ତ୍ତାକୁ ନେଇ ଚାଷୀଙ୍କୁ ସଚେତନ କରୁଛନ୍ତି ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ସୋମବାର ଚନ୍ଦକା ସ୍ଥିତ କୁଜିମହଲ ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷୀ ଭାଇମାନଙ୍କ ମଧ୍ୟରେ ଜୈବିକ ସାର ପ୍ରତି ଅଧିକ ସଚେତନ କରାଯାଇଥିଲା। ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ- ଭିଏପି ମାଧ୍ୟମରେ ଚାଷୀମାନଙ୍କୁ ତୃଣକ ବା ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷର ପତ୍ରର ବ୍ୟବହାର କରି କେମିତି ସେମାନେ ଜୈବିକ ଖତ ବା ସାର ପ୍ରସ୍ତୁତ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।

ବର୍ତ୍ତମାନର ବ୍ୟୟବହୁଳ ଚାଷ କାର୍ଯ୍ୟ ଚାଷୀଙ୍କୁ ପ୍ରଭାବିତ କରୁଥିବା ବେଳେ ରାସାୟନିକ ସାରର ମାତ୍ରାଧିକ ବ୍ୟବାହାର କ୍ଷେତର ଉର୍ବରତା ଓ କ୍ଷମତାକୁ ଦୁର୍ବଳ କରିଥାଏ। ଏହାର ସମାଧାନ କେବଳ ଜୈବିକ କୀଟନାଶକ ପ୍ରୟୋଗ ହେଲେ ହିଁ ହୋଇପାରିବ ବୋଲି ପ୍ରଶିକ୍ଷାର୍ଥୀମାନେ ଚାଷୀଙ୍କୁ ବୁଝାଇ ଥିଲେ। ନିମ୍ବ ପତ୍ର, ବାଇଗବା, ଘି କୁଆଁରୀ, ଆତ, ନାଗଇରି, ଅମୃତଭଣ୍ଡା, ଗଞ୍ଜେଇ ଗଛର ପତ୍ରକୁ ବ୍ୟବହାର କରି ଜୈବିକ କୀଟନାଶକ ପ୍ରସ୍ତୁତ କରି ଏହାର ବ୍ୟବାହାର କଲେ ରୋଗ ପୋକ ତୁରନ୍ତ ନାଶ ହେବ ବୋଲି ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସୋଆ କୃଷି ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ରାକେଶ ରୋଶନ ଶତପଥୀ ଏବଂ ରାମକୃଷ୍ଣ ବସ୍ତିଆ। ମହାବିଦ୍ୟାଳୟ କୃଷି ବିଭାଗର ଛାତ୍ରୀ ପଲ୍ଲବୀ ପଣ୍ଡା, ଜ୍ୟୋତିରେଖା ସିଂ, ସ୍ୱସ୍ତିକା ରଥ, ଲିପ୍ସାମୟୀ ବେହେରା, ମଧୁସ୍ମିତା ବଳ, ପ୍ରଥମା ପ୍ରତୀକ୍ଷା, ପ୍ରଜ୍ଞାମଞ୍ଜରୀ ପଟେଲ, ଅଙ୍କିତା ମହାପାତ୍ର, ଅର୍ପିତା ବିଶ୍ୱାଳ, ପ୍ରଲିପ୍ତା ସାମନ୍ତରାୟ, ରୁତମଭାରା ମିଶ୍ର ପ୍ରମୁଖ ସାମିଲ ହୋଇ ଚାଷୀଙ୍କୁ ସଚେତନ କରାଇଥିଲେ।