ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ଅନ୍ୟତମ ସାଂସ୍କୃତିକ ପ୍ରାଣକନ୍ଦ୍ର ଭାବେ ପରିଗଣିତ ଧନୁଯାତ୍ରା ଚଳିତ ବର୍ଷ ୧୦ମ ବର୍ଷରେ ପଦାର୍ପଣ କରିଛି । ଏହି ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଥିବାବେଳେ ସମଗ୍ର ପାଟଣାଗଡ଼ ସହରକୁ ମଥୁରା ନଗରୀ ଏବଂ ନିକଟବର୍ତ୍ତୀ ଉଲବା ଗ୍ରାମକୁ ଗୋପପୁର ଭାବରେ ଚିତ୍ରଣ କରାଯାଇଛି । ଏହାସହ ସ୍ଥାନୀୟ ଗଙ୍ଗାଧର ପାର୍କଠାରେ ନିର୍ମିତ ମଥୁରା ନଗରୀର ସୁଦୃଶ୍ୟ ରାଜ ପ୍ରାସାଦକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି । ଏହି ଧନୁଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେବାସହ ସେଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଧନୁଯାତ୍ରା କମିଟିର ସଭାପତି ଅନୀଲ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ସ୍ଥାନୀୟ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାତ୍ରା କମିଟି ସଂପାଦକ ଘନଶ୍ୟାମ ମେହେର ଓ ଉପସଭାପତି ଇନ୍ଦୁଭୂଷଣ ଠାକୁର ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀମତ୍ ପାଣିଗ୍ରାହୀ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ । ପ୍ରଥମ ଦିନରେ ମଥୁରାନଗରୀରେ ମହାରାଜ ଉଗ୍ରସେନଙ୍କ ନଗର ପରିକ୍ରମା, ଦେବକୀ ବସୁଦେବଙ୍କ ଶୁଭ ବିବାହ, ଯୁବରାଜ କଂସଙ୍କ ମୃଗୟା ଯାତ୍ରାରୁ ପ୍ରତ୍ୟାବର୍ତ୍ତନ, ଉଗ୍ରସେନଙ୍କ ଗାଦିଚ୍ୟୁତ, କଂସଙ୍କ ରାଜ୍ୟାଭିଷେକ, ଦୈବବାଣୀ ଓ ଦେବକୀ ବସୁଦେବଙ୍କ କାରାବରଣ ଆଦି ଦୃଶ୍ୟ ଅତି ନିଖୁଣ ଏବଂ ସୁନ୍ଦର ଭାବରେ ପରିବେଷିତ ହୋଇଥିଲା । ସହେଦବ ମେହେରଙ୍କ ଆକଷର୍ଣୀୟ ମଞ୍ଚଞ୍ଚସଜ୍ଜା ସାଙ୍ଗକୁ ବାରିକ ଲାଇଟ୍ ଆଣ୍ଡ ସାଉଣ୍ଡ ଦ୍ୱାରା ଉଚ୍ଚକୋଟୀର ଆଲୋକ ଏବଂ ଶବ୍ଦ ସଂପାତ ସମଗ୍ର ପରିବେଶକୁ ବେଶ୍ ଭବୋଦ୍ଦୀପକ କରି ଗଢ଼ି ତୋଳିଥିଲା । ଏହାବ୍ୟତୀତ ସୁଧର୍ମା ଦାସଙ୍କ ପ୍ରଚ୍ଛଦ ସଂଗୀତ ବେଶ ମନଛୁଆଁ ହୋଇପାରିଥିଲା ।