୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

୭ଟି ଜିଲ୍ଲା ଲାଗି ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ନିମ୍ନଚାପରେଖା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉଭୟ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୭ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୧ ତାରିଖରେ ୮ ଜିଲ୍ଲାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି । ସେହିପରି ୧୨ରେ ୧୦ ଜିଲ୍ଲାରେ ବର୍ଷା ହେବ । ୧୩ ତାରିଖ ଯାଏ ଏଭଳି ପାଗ ଜାରି ରହିବ । ଗତ୨୪ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

ରାଜ୍ୟରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇଛି । ୧ ଜୁନରୁ ଆଜି ଯାଏ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫ ପ୍ରତିଶତ କମ୍ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛ୍‍ ଯାହା ସ୍ୱାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିମି ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛ; ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ୍ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୫ ମିମି ବର୍ଷା ରେକର୍ଡ କରାଯାଇଛି; ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୨% କମ୍ ରହିଛି ।
ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଅପରପେକ୍ଷ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବେଶର ପରିମାଣ ବଢ଼ିଛି । ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ । ବିଭିନ୍ନ କେନାଲ ଦେଇ ୩୬ ହଜାର ୩୧୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫. ୦୬ ଫୁଟରେ ପହଞ୍ଚିଛି । ଛତିଶଗଡ଼ କଲମା ଡ୍ୟାମର ସମସ୍ତ ୬୬ ଗେଟ୍ ଖୋଲାଥିବାରୁ ହୀରାକୁଦ ଜଳଭଣ୍ଡାରୁ ଜଳ ପ୍ରବେଶ ପରିମାଣ ବଢ଼ିଥିବା ଜଣାପଡିଛି ।