ରଥଯାତ୍ରା ପ୍ରସଙ୍ଗ: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

  • ପୁରୀ, ଏନ୍ଏନ୍ଏସ୍: ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବିନାଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଶୃଙ୍ଖଳିତ ଭାବେ ଏ ବର୍ଷର ରଥଯାତ୍ରା ସମ୍ପନ୍ନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ। ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ୪୫ମିନିଟ ଧରି ଅନୁଷ୍ଠିତ ବୈଠକରେ ପୁଲିସ ମହାନିର୍ଦ୍ଦେଶକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଗତବର୍ଷ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ମଧ୍ୟ ଅନୁରୂପଭାବେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପାଦନ ଉପରେ ଶ୍ରୀ ଅଭୟ ଗୁରୁତ୍ୱାରୋପ କରିଥିଲେ। ନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏଡିଜି ରାଧାକୃଷ୍ଣ ଶର୍ମା, ଏଡ଼ିଜି ଲଳିତ ଦାସ, ଡିଆଇଜି ଅନୁପ କୁମାର ସାହୁ, ପୁରୀ ଆରକ୍ଷୀ ଅଧିକ୍ଷକ କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ ଡିଜିପିଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ରଥ ରହିବା ପରେ ପୁଲିସ ମୁତୟନ ବ୍ୟବସ୍ଥା ଓ କର୍ଡ଼ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ବୈଠକ ପରେ ଶ୍ରୀ ଅଭୟ ପ୍ରକାଶ କରିଥିଲେ ଯେ ଆଗାମୀ ୨-୩ ଦିନ ମଧ୍ୟରେ ପୁରୀ ସହରରେ ରଥଯାତ୍ରା ପରିପ୍ରେକ୍ଷୀରେ ପୁଲିସ ମୁତୟନ ବ୍ୟବସ୍ଥା ସମ୍ପର୍କିତ ବିସ୍ତୃତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ସମୀକ୍ଷା ବୈଠକରେ ଯୋଗଦେବା ସହିତ ଶ୍ରୀ ଅଭୟ ରଥଖଳା, ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।