ଜମିବାଡ଼ି ବିବାଦ: ଠେଙ୍ଗାରେ ପିଟିପିଟି ଭିନ୍ନକ୍ଷମଙ୍କୁ ହତ୍ୟା

  • କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜନୈକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅପରାଧୀ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ ଜଣେ ଫେରାର୍ ଅଛନ୍ତି। ପ୍ରକାଶ ଯେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖସାଡ଼ି ଗ୍ରାମର ନନ୍ଦକିଶୋର ସ୍ୱାଇଁ ଓ ଉକ୍ତ ଗ୍ରାମର ନିଧିରାମ ସ୍ୱାଇଁଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଥିଲା। ରବିବାର ସକାଳେ ନନ୍ଦକିଶୋରଙ୍କ ଭିନ୍ନକ୍ଷମ ପୁଅ ଏକାଦଶୀ ଶୌଚହେବାକୁ ଯାଉଥିଲେ। ନିଧିରାମ ପୂର୍ବରୁ ଏକାଦଶୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସୁଯୋଗ ଅପେକ୍ଷାରେ ଥିଲେ। ତେଣୁ ଏକୁଟିଆର ସୁଯୋଗ ନେଇ ନିଧିରାମ ସ୍ୱାଇଁ ଓ ତାଙ୍କ ପୁଅ ସନ୍ତୋଷ ପଛପଟୁ ଏକାଦଶୀଙ୍କ ମୁଣ୍ଡକୁ ଠେଙ୍ଗାରେ ପାହାର ଦେବାରୁ ସେ ତଳେ ପଡ଼ିଯାଇଥିଲେ। ଏକାଦଶୀଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ସେମାନେ ଠେଙ୍ଗାରେ ପିଟି ଚାଲିଥିଲେ। ଫଳରେ ସେ ଅଚେତ ହୋଇପଡ଼ିଥିଲେ। କିଛି ସ୍ଥାନୀୟ ଲୋକ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିଲେ। ଖବରପାଇ ପୁଲିସ ପହଞ୍ଚି ଏକାଦଶୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନନ୍ଦକିଶୋର ଥାନାରେ ଅଭିଯୋଗ କରିଛନ୍ତି। ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ପରେ ଅପରାଧୀ ନିଧିରାମ ସ୍ୱାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ସନ୍ତୋଷ ସ୍ୱାଇଁ ଫେରାର୍ ଅଛନ୍ତି।