କ୍ରିପ୍ଟୋକରେନ୍ସି ନେଇ ସଂସଦୀୟ ସମିତି କରିବ ବିଚାର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଅବୈଧ ଉପାୟରେ ଜାରି ରହିଥିବା କ୍ରିପ୍ଟୋକରେନ୍ସି ବଜାର ଉପରେ ଲଗାମ୍ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଗତକାଲି ଏ ନେଇ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିଥିଲେ। ଆଜି ଏ ପ୍ରସଙ୍ଗରେ ସଂସଦୀୟ କମିଟି ଚର୍ଚ୍ଚା କରିବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଇଣ୍ଡିଆନ୍ ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ (ଆଇଏଏମ୍‌ଏଆଇ), ବ୍ଲକ୍‌ଚେନ୍ ଓ କ୍ରିପ୍ଟୋ ଆସେଟ୍‌ସ କାଉନ୍‌ସିଲ୍ (ବିଏସିସି)ର ପ୍ରତିନିଧିମାନେ ମଧ୍ୟ ଭାଗନେବେ ବୋଲି ଜଣାପଡ଼ିଛି। ଏଯାବତ୍ ଦେଶରେ ଥିବା ବିଭିନ୍ନ କ୍ରିପ୍ଟୋ ଏକ୍ସେଚେଞ୍ଜ୍ ସେଲ୍‌ଫ ରେଗୁଲେଟୋରୀ ଗାଇଡ୍‌ଲାଇନ୍‌ସ ଜରିଆରେ କାର୍ଯ୍ୟ କରୁଛି। ଅଧିକତର ଏହା ବିଏସ୍‌ସି ବୋର୍ଡ ଦ୍ୱାରା ନିର୍ଦ୍ଧାରିତ କରାଯାଇଛି।

ସରକାର ଏଯାବତ୍ କ୍ରିପ୍ଟୋକରେନ୍ସି ନେଇ କୌଣସି ପ୍ରକାର ଆଇନ୍‌ଗତ ପଦକ୍ଷେପ ନେଇନାହିଁ। ସୂତ୍ର ଅନୁସାରେ ସରକାର କ୍ରିପ୍ଟୋ ବଜାର ଉପରେ ପୂର୍ଣ୍ଣକାଳୀନ ପ୍ରତିବନ୍ଧ ଲାଗୁ କରିବା ନେଇ ବିଚାର କରୁଛନ୍ତି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ମନି ଲେଣ୍ଡରିଂ ଆଦି ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ କ୍ରିପ୍ଟୋ ଜରିଆରେ ଫଣ୍ଡ୍ ଉପଲବ୍‌ଧ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି। ଏ ପ୍ରକାର ଏଜେନ୍ସି ଉପରେ ପ୍ରଧାନମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଏ ନେଇ କଡ଼ା ଚେତାବନୀ ଦେଇଥିଲେ। ଆର୍‌ବିଆଇ ଓ ସେବି କ୍ରିପ୍ଟୋବଜାର ଉପରେ ପ୍ରତିବନ୍ଧ ଲାଗୁ କରିବା ନେଇ ନିତି ନିୟାମକ ପ୍ରସ୍ତୁତ୍ କରୁଛନ୍ତି ବୋଲି ଜଣାପଡ଼ିଛି।