ଦେଶରେ କୋଇଲା ଆମଦାନୀରେ ୧୨.୬% ବୃଦ୍ଧି

ଏପ୍ରିଲ୍‌-ସେପ୍ଟେମ୍ବରରେ ମୋଟ ଆମଦାନୀ ୧୧ କୋଟି ଟନ୍

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛମାସିକରେ ଅର୍ଥାତ୍ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ କୋଇଲା ଆମଦାନୀ ୧୨.୬% ବୃଦ୍ଧି ଘଟିଛି। ଏହି ଅବଧିରେ ମୋଟ କୋଇଲା ଆମଦାନୀ ୧୦.୭୩ କୋଟି ଟନ୍‌ରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୯.୫୩ କୋଟି ଟନ୍ ଥିଲା। ଦେଶର କୋଇଲା ବଜାର ଉପରେ ଶୋଧ କରୁଥିବା ସେଲ୍‌ର ସଂଯୁକ୍ତ ସଂସ୍ଥା ଏମ୍‌ଜଙ୍କ୍‌ସନ୍ ସୂତ୍ରରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଗତ ସେପ୍ଟମ୍ବରରେ କୋଇଲା ଆମଦାନୀ ୧.୪୮ କୋଟି ଟନ୍ ରହିଛି ବୋଲି ଜଣାପଡ଼ିଛି ଯାହା ଗତବର୍ଷ ସମାନ ମାସରେ ୧.୯୦ କୋଟି ଟନ୍ ଥିଲା। ଅପରପକ୍ଷରେ ସେପ୍ଟେମ୍ବରରେ ଆମଦାନୀ କରାଯାଇଥିବା କୋଇଲାରେ ନନ୍‌-କୋକିଂ କୋଇଲାର ପରିମାଣ ୯୨.୨ ଲକ୍ଷ ଟନ୍ ଥିଲା। ସୂଚନାଯୋଗ୍ୟ ଯେ ନିକଟରେ କୋଇଲା ସଂକଟକୁ ନେଇ ସରକାର ସ୍ୱଚ୍ଛଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।