କେନ୍ଦ୍ରୀୟ ଟିକସରୁ ଓଡିଶାକୁ ମିଳିଲା ୪୩୦୫.୩୨ କୋଟି ଟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୨୮ଟି ରାଜ୍ୟକୁ ଟିକସ ବାବଦ ଅଂଶ ଆକାରରେ ଦୁଇ କିସ୍ତିରେ ମୋଟ ୯୫,୦୮୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ପ୍ରତିମାସରେ ସ୍ୱାଭାବିକ ଆକାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସ ଅଂଶ ବାବଦରେ ୪୭,୫୪୧ କୋଟି ଟଙ୍କା ଯୋଗାଇଥାନ୍ତି। ଚଳିତମାସ ୧୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ଆଭାସୀ ବ୍ୟବସ୍ଥାରେ ସେମାନଙ୍କର ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ।

ଏହି ଆଲୋଚନା ସମୟରେ ରାଜ୍ୟ ସମୂହଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ଭିତ୍ତିଭୂମି ନିର୍ମାଣ ଓ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକ ଅର୍ଥ ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଦୁଇ କିସ୍ତିରେ ଏହି ଟିକସ ଅଂଶ ବାବଦ ଅର୍ଥ ଏକକାଳୀନ ନଭେମ୍ବର ୨୨ ତାରିଖରେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଟିକସ ଓ ଶୁଳ୍କକୁ ରାଜ୍ୟମାନେ ନିର୍ଦ୍ଦିଷ୍ଟ ଅନୁପାତରେ ଭାଗ ପାଇଥାନ୍ତି। ଓଡିଶାକୁ ଏ ବାବଦରେ ମୋଟ ୪,୩୦୫.୩୨ କୋଟି ଟଙ୍କା ମିଳିଛି।