ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକଟନ୍ ତୈଳ ଦେଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀଲଙ୍କାର ଦୁସ୍ଥ ଅର୍ଥନୀତିକୁ ବଳ ଦେବା ପାଇଁ ଭାରତ ସରକାର ଆଜି ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ୍ ଟନ୍ ତୈଳ ଯୋଗାଇ ଦେଇଛନ୍ତି। ଭାରତୀୟ ଦୂତାବାସ ତରଫରୁ ପ୍ରାପ୍ତ ସୂଚନା ଅନୁସାରେ ଇଣ୍ଡିଆନ୍ ଅଏଲ୍‌ର ଏକ ତୈଳଭର୍ତ୍ତି ଟ୍ୟାଙ୍କର ଆଜି ହସ୍ତାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ସରକାର ଦେଶର ବିଜୁଳି ସଂକଟ ଓ ତଦ୍‌ଜନିତ ଖରାପ ଆର୍ଥିକ ବ୍ୟବସ୍ଥାକୁ ସାମ୍ନା କରିବା ପାଇଁ ଭାରତ ନିକଟରୁ ତୈଳ ସହାୟତା ଇଛା କରିଥିଲା। ଅପରପକ୍ଷରେ ଗତ ଜାନୁଆରୀରେ ଭାରତ ସରକାର ଶ୍ରୀଲଙ୍କାକୁ ୯୦୦ ନିୟୁତ ଡଲାର୍‌ର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ସମ୍ପ୍ରତି କରୋନା ଯୋଗୁଁ ଶ୍ରୀଲଙ୍କାର ଟୁରିଜିମ୍ ସେକ୍ଟର ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଦେଶରେ ଖାଦ୍ୟ-ପଦାର୍ଥ ଓ ତୈଳ ସଙ୍କଟ ଦେଖାଯିବା ସହିତ ଆମଦାନୀ ପାଇଁ ଆବଶ୍ୟକ ବିଦେଶୀ ମୁଦ୍ରା ନାହିଁ।