ତୃତୀୟ ଟି-୨୦: ୬ ୱିକେଟ୍‌ରେ ହାରିଲା ଶ୍ରୀଲଙ୍କା, ଅଷ୍ଟ୍ରେଲିଆର ସିରିଜ୍ କବ୍‌ଜା

କାନ୍‌ବେରା,ଏଜେନ୍ସି: କେନ୍ ରିଚାର୍ଡସନ୍ ଓ ଆଷ୍ଟନ୍ ଆଗର୍‌ଙ୍କ ମାପଚୁପ ବୋଲିଂ ପ୍ରଦର୍ଶନ ଫଳରେ ଆୟୋଜକ ଅଷ୍ଟ୍ରେଲିଆ ଏଠାରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ହରାଇ ଦେଇଛି। ଏହି ବିଜୟ ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଘରୋଇ ଟିମ୍ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି। କେନ୍ ରିଚାର୍ଡସନ୍ (୩/୨୧) ଓ ଆଷ୍ଟନ୍ ଆଗର୍ (୧/୧୪)ଙ୍କ ସହାୟତାରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ୧୨୧/୬ ସ୍କୋର୍‌ରେ ରୋକିଦେଇଥିଲା। ପରେ ୧୯ ବଲ୍ ବାକି ଥାଇ ୪ ୱିକେଟ୍ ବିନିମୟରେ ୧୨୪ ରନ୍ କରି ଦଳ ସହଜ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

୧୨୨ ଟାର୍ଗେଟ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ୨୬ ରନ୍‌ରେ ଦୁଇ ଓପ୍ନର୍‌ଙ୍କୁ ହରାଇବା ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଧୂଆଁଧାର ୩୯ ଓ ଆରୋନ୍ ଫିଞ୍ଚ୍ ୩୫ ରନ୍ କରି ଟିମ୍‌ର ବିଜୟ ରାସ୍ତା ପ୍ରଶସ୍ତ କରିଥିଲେ। ଇନିଂସ୍‌ର ପ୍ରଥମ ବଲ୍‌ରେ ବେନ୍‌ ମ୍ୟାକ୍‌ଡର୍ମଟ୍‌ଙ୍କୁ ଆଉଟ୍ କରିଥିବା ଅଫ୍ ସ୍ପିନର୍ ମହେଶ ଥିକ୍‌ସାନା ୨୪ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଶ୍ରୀଲଙ୍କାର ଆରମ୍ଭ ଭଲ ନ ଥିଲା ଏବଂ ରିଚାର୍ଡସନ୍ ପ୍ରାରମ୍ଭିକ ଦୁଇଟି ୱିକେଟ୍ ନେବା ପରେ ଭ୍ରମଣକାରୀ ଟିମ୍ ୫୧ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା।

ସିରିଜ୍‌ରେ ସର୍ବାଧିକ ରନ୍ କରିଥବା ଓପନର ପାଥୁମ୍ ନିଶଙ୍କା (୧୬)ଙ୍କୁ ଡାନିଏଲ୍ ସାମ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ମ୍ୟାକ୍ସୱେଲ୍ ନିଜର ୩ୟ ୱିକେଟ୍ ହାସଲ କରିଥିଲେ। ଶ୍ରୀଲଙ୍କାର ଶୀର୍ଷକ୍ରମ ଭୁଶୁଡ଼ି ପଡ଼ିବା ପରେ କ୍ୟାପ୍‌ଟେନ୍ ଦାସୁନ୍ ଶନାକା (୩୯³) ଓ ଦିନେଶ ଚାଣ୍ଡିମାଲ୍ (୨୫) ଇନିଂସ୍‌କୁ ସମ୍ଭାଳିଥିଲେ ମଧ୍ୟ ଟିମ୍ ପାଇଁ ବଡ଼ ସ୍କୋର୍ ଛିଡ଼ା କରିବାରେ ବିଫଳ ରହିଥିଲା। ରିଚାର୍ଡସନ୍‌ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିବା ବେଳେ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଆସନ୍ତା ଶୁକ୍ରବାର ମେଲ୍‌ବର୍ଣ୍ଣରେ ଖେଳାଯିବ।