ଭାରତର ମାନ୍ଦାବସ୍ଥା ଅସ୍ଥାୟୀ, ଆଶୁ ସୁଧାର ଆଶା

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଦେଖାଦେଇଥିବା ଆର୍ôଥକ ମାନ୍ଦାବସ୍ଥା ଅସ୍ଥାୟୀ। ଖୁବ୍ଶୀଘ୍ର ଏଥିରେ ସୁଧାର ଆସିବା ଆଶା କରାଯାଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜେିଭା ଶୁକ୍ରବାର ଏଭଳି ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥନୈତିକ ମଞ୍ଚ-୨୦୨୦କୁ ସମ୍ବୋଧିତ କରିବା ଅବସରରେ କ୍ରିଷ୍ଟାଲିନା କହିଛନ୍ତି ଯେ ୨୦୧୯ ଅକ୍ଟୋବରରେ ଆଇଏମ୍ଏଫ୍ ପକ୍ଷରୁ ବିଶ୍ୱର ଆର୍ଥିକ ସ୍ଥିତିକୁ ନେଇ ଯାହା ଆକଳନ କରାଯାଇଥିଲା ସେ ତୁଳନାରେ ୨୦୨୦ ଜାନୁଆରୀରେ ଖୁବ୍ ଉନ୍ନତି ଘଟିଛି। ଏଥିପାଇଁ କେତେକ ସକାରାତ୍ମକ କାରଣ ରହିଥିବା ସେ ଉଲ୍ଲେଖ କରିଛନ୍ତି।

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଶୁଳ୍କ ବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ବାବଦରେ ଏବେ ବୁଝାମଣା ହେବା ପରେ ଅନେକ ସମସ୍ୟା ସମାଧାନ ହୋଇପାରିଛି। ଏହାଛଡ଼ା ଟିକସ ହ୍ରାସ ମଧ୍ୟ ଏକ ପ୍ରମୁଖ କାରଣ। ଫଳରେ ବିଶ୍ୱସ୍ତରରେ ସକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରିଛି। ତେବେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ହାର ୩.୩ ପ୍ରତିଶତରେ ସୀମିତ ରହିବା ଶୁଭସୂଚନା ବୋଲି କୁହାଯାଇପାରିବନି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆଇଏମ୍ଏଫ୍ ଏମ୍ଡି କ୍ରିଷ୍ଟାଲିନା ଆହୁରି କହିଛନ୍ତି ଯେ, ଏବେ ବି ବିଶ୍ୱସ୍ତରର ସାମ୍ପ୍ରତିକ ଅର୍ଥନୈତିକ ଅଭିବୃଦ୍ଧି ମାନ୍ଦା ରହିଛି। ଏହି ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଆଣିବାକୁ ହେଲେ ଆମକୁ ବିତ୍ତୀୟ ନୀତିକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିସହ ଅର୍ଥନୀତି ବ୍ୟବସ୍ଥାର ଗଠନମୂଳକ ସଂସ୍କାର ପ୍ରକ୍ରିୟା ଏବଂ ପରିଚାଳନା ନୀତିରେ ପୁନର୍ଗଠନ ପୂର୍ବକ ପଦକ୍ଷେପ ନେବାକୁ ପଡ଼ିବ। ସେହିପରି ବିଶ୍ୱର ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ରମାନଙ୍କ ବର୍ଦ୍ଧିିତ ଅର୍ଥନୀତି ବ୍ୟବସ୍ଥା ଗତିଶୀଳ ଓ ବଢ଼ିବାରେ ଲାଗିଥିବାରୁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବିଶ୍ୱର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଭାବେ ଭାରତର ଅର୍ଥନୀତି ବ୍ୟବସ୍ଥା ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି ଯେ, ଭାରତର ସାଂପ୍ରତିକ ମାନ୍ଦାବସ୍ଥା ଏବଂ ନିମ୍ନ ଅଭିବୃଦ୍ଧି ଅସ୍ଥାୟୀ। କିନ୍ତୁ ଆଗକୁ ଏହି ସ୍ଥିତିରେ ପରିବର୍ତ୍ତନ ହେବା ସହିତ ଭାରତର ଅଭିବୃଦ୍ଧି ତ୍ୱରିତ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଇଣ୍ଡୋନେସିଆ ଓ ଭିଏତନାମ ଭଳି କେତେକ କ୍ଷୁଦ୍ର ରାଷ୍ଟ୍ରର ଆର୍ଥିକ ସ୍ଥିତି ଉତ୍ସାହଜନକ ରହିଥିବାବେଳେ ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟ ଉତ୍ତମ ସ୍ଥିତିରେ ରହିଛନ୍ତି। କିନ୍ତୁ ମେକ୍ସିକୋ ଭଳି କେତେକ ଉନ୍ନତ ରାଷ୍ଟ୍ର ଭଲ ପରିସ୍ଥିତିରେ ନାହାନ୍ତି ବୋଲି ଆଇଏମ୍ଏଫ୍ ଏମ୍ଡି କ୍ରିଷ୍ଟାଲିନା ଜର୍ଜେ÷ଭା କହିଛନ୍ତି। ତେବେ ଭାରତୀୟ ଅର୍ଥନୀତିକୁ ନେଇ କ୍ରିଷ୍ଟାଲିନା କରିଥିବା ଆକଳନ ଅନେକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। କାରଣ ମାନ୍ଦାବସ୍ଥାକୁ ନେଇ ୨୦୧୯-୨୦ ବର୍ଷର ସାମଗ୍ରିକ ଅଭିବୃଦ୍ଧି ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହେବ ବୋଲି ଜାତୀୟ ଏବଂ ଆନ୍ତର୍ଜାତିକସ୍ତରର ବହୁ ପ୍ରତିଷ୍ଠିତ ଏଜେନ୍ସି ପକ୍ଷରୁ ପ୍ରାକ୍ ଆକଳନ କରାଯାଇଥିଲା ବେଳେ ଅଭିବୃଦ୍ଧି ହାର ୪.୮ ପ୍ରତିଶତକୁ ଖସି ଆସିବ ବୋଲି କିଛି ଦିନ ତଳେ ସହ ଏହା ପ୍ରଭାବରେ ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ୫.୮ ରହିବ ବୋଲି ଆଇଏମ୍ଏଫ୍ ପକ୍ଷରୁ ଆକଳନ କରାଯାଇଥିଲା। ଭାରତ ଭଳି ଏକ ପ୍ରଗତିଶୀଳ ଅର୍ଥନୀତି ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ଅନୁଭୂତ ହେବ ବୋଲି ଆଇଏମ୍ଏଫ୍ ପକ୍ଷରୁ କୁହାଯାଇଥିଲା।