ପୁଣି ବିଳମ୍ବ ହୋଇପାରେ ନିର୍ଭୟା ଦୋଷୀଙ୍କ ଫାଶୀ, ଅଦାଲତଙ୍କ ଦ୍ୱାରସ୍ଥ ହେଲେ ଅକ୍ଷୟ ଓ ପବନ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୧ ତାରିଖରେ ଚାରି ନିର୍ଭୟା ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ ସମୟ ନିର୍ଦ୍ଧାରଣ ହୋଇଥିବାବେଳେ ଆଜି ଦୁଇଜଣ ଦୋଷୀ ଅକ୍ଷୟ କୁମାର ସିଂହ ଓ ପବନ ସିଂହ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଥାନୀୟ ପାତିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ରାଜକ୍ଷମା ଓ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଚାହାନ୍ତି। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଆବଶ୍ୟକ ଦସ୍ତାବିଜ ଦେବାରେ ବିଳମ୍ବ କରୁଥିବାରୁ ସେମାନେ ଆଇନଗତ ଉପାୟରୁ ବଞ୍ଚିତ ହେଉଛନ୍ତି ବୋଲି ଉଭୟଙ୍କ ଓକିଲ ଏପି ସିଂହ ଅଦାଲତରେ ଅଭିଯୋଗ କରିଛନ୍ତି। ଆସନ୍ତାକାଲି କୋର୍ଟ ଏହି ମାମଲାର ଶୁଣାଣି କରିପାରନ୍ତି ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ୪ ଦୋଷୀଙ୍କ ମଧ୍ୟରୁ ବିନୟ କୁମାର ଶର୍ମା ଓ ମୁକେଶ ସିଂହଙ୍କ କ୍ୟୁରେଟିଭ ଆବେଦନକୁ ନିକଟରେ ସୁପ୍ରିମ କୋର୍ଟ ଖାରଜ କରିଛନ୍ତି।
ଆଇନରେ ରହିଥିବା ବ୍ୟବସ୍ଥାକୁ ଆୟୁଧ କରି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଜଣ ଜଣକରି ରାୟର ସମୀକ୍ଷା, ରାଜକ୍ଷମା, କ୍ୟୁରେଟିଭ ଆଦି ଆବେଦନ କରିଚାଲିଛନ୍ତି। ଫଳରେ ଫାଶୀଦଣ୍ଡ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି। ଏହି କାରଣରୁ ଗତ ବୁଧବାର କେନ୍ଦ୍ର ସରକାର ଫାଶୀଦଣ୍ଡକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଗାଇଡଲାଇନ ପ୍ରସ୍ତୁତ ନିମନ୍ତେ ସୁପ୍ରିମ କୋର୍ଟଙ୍କୁ ଆବେଦନ କରିଛନ୍ତି। କୌଣସି ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିଲେ ଡେଥ୍ ୱାରେଣ୍ଟ ଇସ୍ୟୁ ହେବାର ୭ଦିନ ମଧ୍ୟରେ ଯେପରି ଏହି ଆବେଦନ କରିବ, ତାହା ବାଧ୍ୟତାମୂଳକ କରିବାକୁ ସରକାର କୋର୍ଟଙ୍କୁ ସୁପାରିସ କରିିଛନ୍ତି। ଅନ୍ୟ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତିି ଜଷ୍ଟିସ ବୋବଡେ ଫାଶୀଦଣ୍ଡ ପାଇଥିବା ଦୋଷୀମାନେ ଅନ୍ତହୀନ ମୋକଦ୍ଦମା କରିପାରିବେ ନାହିଁ ବୋଲି ଗତକାଲି କହିଛନ୍ତି। ଦୋଷୀଙ୍କ ଆବେଦନର ଉପଯୁକ୍ତ ବିଚାର ହେବ। ସେମାନଙ୍କ କଥା ଶୁଣାଯିବ। କିନ୍ତୁ ମାମଲାକୁ ଜଟିଳତାରେ ଛନ୍ଦିବାକୁ ଅନ୍ତହୀନ ମୋକଦ୍ଦମାକୁ ଗ୍ରହଣ କରାଯିବ ନାହିଁ। ଫାଶୀଦଣ୍ଡ ପାଇଥିବା କୌଣସି ଅପରାଧୀର ଚରିତ୍ରରେ ପରିବର୍ତ୍ତନ ଆସିଥିଲେ ତାଙ୍କ ଦଣ୍ଡକୁ କୋହଳ କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।
ନିର୍ଭୟା ମାମଲାରେ ପ୍ରଥମେ ଦୋଷୀମାନଙ୍କୁ ଜାନୁଆରୀ ୨୨ତାରିଖରେ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ମୁକେଶ ସିଂହ ରାଜକ୍ଷମା ଆବେଦନ କରିବାରୁ ପୁନଃ ତାରିଖ ନିର୍ଦ୍ଧାରଣ କରାଯାଇ ଆସନ୍ତା ଫେବ୍ରୁଆରୀ ୧ତାରିଖ ସକାଳ ୬ଟାରେ ଫାଶୀଦଣ୍ଡ ଦିଆଯିବାକୁ କୋର୍ଟ ଚୂଡ଼ାନ୍ତ କରିଥିଲେ।
ପ୍ରକାଶଥାଉକି, ଏହା ପୂର୍ବରୁ ମୁକେଶ ଓ ବିନୟର କ୍ୟୁରେଟିଭ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଥିଲେ। ସେହିପରି ମୁକେଶ ରାଷ୍ଟ୍ରପତିଙ୍କଠାରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି। ଏବେ ଅକ୍ଷୟ ଓ ପବନ ପାଖରେ ରାଜକ୍ଷମା ଓ କ୍ୟୁରେଟିଭ ଆବେଦନ କରିବାର ବିକଳ୍ପ ରହିଛି। ଏବେ ଦୋଷୀମାନେ ଗୋଟିକ ପରେ ଗୋଟିଏ ଆବେଦନ ଦାଖଲ କରୁଥିବାରୁ ଫେବ୍ରୁଆରୀ ୧ରେ ସେମାନଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ ହେବାନେଇ ସନ୍ଦେହ ସୃଷ୍ଟି ହୋଇଛି।