ଦୈନିକ ଭିତ୍ତିିରେ ଆୟ-ବ୍ୟୟର ସମୀକ୍ଷା କରିବ ଅର୍ଥବିଭାଗ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରଣା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଚଳିତ ମାସ ୧୫ ତାରିଖଠାରୁ ଦୈନିକଭିତ୍ତିରେ ଦେଶର ଆୟ-ବ୍ୟୟର ସମୀକ୍ଷା କରାଯିବ। ରାଜସ୍ୱ ଆଦାୟ, କରସଂଗ୍ରହ ତଥା ଦୈନିକ ଖର୍ଚ୍ଚର ସମୀକ୍ଷା କରାଯିବ। ଭାରତୀୟ ଜୀବନ ବୀମା କମ୍ପାନୀ (ଏଲ୍‌ଆଇସି)ର ଆଇପିଓ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ତଥା ତଦ୍‌ଜନୀତ ଭାରତୀୟ ବଜାରରେ ଏହାର ପ୍ରଭାବ ଯୋଗୁଁ ବିଭାଗ ଏ ନିଷ୍ପତ୍ତିି ନେଇଛି ବୋଲି ପ୍ରକାଶ। ବିତ୍ତୀୟ ନିଅଣ୍ଟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି।

ୟୁକ୍ରେନ୍‌ରୁ ଭାରତୀୟଙ୍କ ସ୍ଥାନାନ୍ତରଣଜନିତ ଅତିରିକ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛନ୍ତି। ଅଶୋଧିତ ତୈଳ ଦରବୃଦ୍ଧି ତଥା ବାଣିଜ୍ୟ ଦେୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସମସ୍ତ ଦିଗକୁ ଲକ୍ଷ୍ୟ କରି ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଦୈନିକଭିତ୍ତିରେ ସମୀକ୍ଷା ସରକାରଙ୍କୁ ତ୍ୱରିତ୍ ପଦକ୍ଷେପ ନେବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏ ନେଇ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟ୍‌ସ (ସିଏଜି)କୁ ନିର୍ଦ୍ଦେଶ ଦିଆଯାଇଛି।