ଶକ୍ତି ସଙ୍କଟ: ୫% ମହଙ୍ଗା ହେବ କୋଇଲା

ନୂଆଦିଲ୍ଲୀ,ଏଜେନ୍ସି: କୋଇଲା ଆମଦାନୀ ଦ୍ୱାରା ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି କାରଣରୁ ଏହାର ମୂଲ୍ୟ ୪.୫-୫.୦ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଆଇସିଆ୍‌ଏ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପରି କୁହାଯାଇଛି । ବଢ଼ୁଥିବା ଶକ୍ତିର ଆବଶ୍ୟକତାକୁ ପୂରଣ କରିବା ପାଇଁ କୋଇଲା ଆମଦାନୀ କରୁଥିବା ସବୁ ପାୱାର ପ୍ଲାଣ୍ଟ ସେମାନଙ୍କର ପୂର୍ଣ୍ଣ କ୍ଷମତାରେ କାମ କରିବେ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ଏହି ନିର୍ଦ୍ଦେଶ ଅନୂଯାୟୀ ଘରୋଇ କୋଇଲା ଉପରେ ଆଧାରିତ ସବୁ ରାଜ୍ୟ ଏବଂ ଶକ୍ତି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଅତିକମରେ ୧୦ ପ୍ରତିଶତ ଜାଳେଣୀ ଆବଶ୍ୟକତା ଘରୋଇ କୋଇଲାରୁ ପୂରଣ କରିବେ । ଆସନ୍ତା ଅକ୍ଟୋବର ୩୧ ଯାଏଁ ଏହି ନିୟମ ବୈଧ ରହିବ ।

ବର୍ତ୍ତମାନର ବିଦ୍ୟୁତ୍ କ୍ରୟ ଚୁକ୍ତିନାମା ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ଇନ୍ଧନ ମୂଲ୍ୟର ପାସ୍ ପ୍ରଦାନ କରୁନାହିଁ । ତେଣୁ ଏହି ପ୍ଲାଣ୍ଟ ଗୁଡ଼ିକର ଯୋଗାଣ ଶୁଳ୍କ ଶକ୍ତି ମନ୍ତ୍ରାଳୟ ନିର୍ଦ୍ଧାରଣ କରିବ । କୋଇଲା ମୂଲ୍ୟକୁ ବିଚାର କରି ଏହା ନିର୍ଦ୍ଧାରଣ କରାଯିବ । ଦେଶର ବିଭିନ୍ନ ଥର୍ମାଲ ପ୍ଲାଣ୍ଟ ଗୁଡ଼ିକରେ ହାରାହାରି କୋଇଲା ଷ୍ଟକ ପରିମାଣ କମ୍ ହେବା ନେଇ ସୂଚନା ମିଳିବା ପରେ ଏଭଳି ନିର୍ଦ୍ଦେଶ ଦିଅ।।ଇଛି । ମେ ୭ ତାରିଖରେ ସବୁ ପ୍ଲାଣ୍ଟରେ ହାରାହାରି ୮ ଦିନର କୋଇଲା ଷ୍ଟକ୍ ରହିଥିଲା । ଅତିକମରେ ୨୪ ଦିନର ଷ୍ଟକ୍ ରହିବା ଆବଶ୍ୟକ ଥିବା ବେଳେ ଏହା ଶକ୍ତି ଶଙ୍କଟ ଆଡକୁ ଇଙ୍ଗିତ କରୁଛି ।

ଆଇସିଆରଏର ଉପ ସଭାପତି ଗିରିଶ କୁମାର କଦମ କହିଛନ୍ତି ଯେ ଦେଶରେ ବିଦ୍ୟୁତର ଆବଶ୍ୟକତ ୧୧.୫% ବଢ଼ିଛି ଏବଂ ପ୍ରତିବର୍ଷ ୧୭.୬ ପ୍ରତିଶତ ବଢ଼ିବାରେ ଲାଗିଛି । କୋଇଲା ଆମଦାନୀ ଉପରେ ନିର୍ଭରତା ୪%କୁ ବୃଦ୍ଧି ପାଇଛି । ୨୦୨୨-୨୩ ରେ ଏହା ୧୨-୧୩ ପ୍ରତିଶତ ରହିବା ନେଇ ଆଶା କରାଯାଉଛି । ଏହି ସବୁ ବ୍ୟବସ୍ଥାକୁ ଲକ୍ଷ୍ୟ କଲେ ଦେଶରେ କୋଇଲା ମୂଲ୍ୟ ପ୍ରାୟ ୪.୫୦-୫ ପ୍ରତିଶତ ଯାଏଁ ମହଙ୍ଗା ହେବ । ଏହା ସହିତ ପରୋକ୍ଷ ଭାବରେ ବିଦ୍ୟୁତ୍ ସେବା ମଧ୍ୟ ମହଙ୍ଗା ହେବାର ସମ୍ଭାବନା ସୃଷ୍ଟି ହୋଇଛି ।