ବର୍ଦ୍ଧିତ ତୈଳଦରକୁ ନେଇ ଚିନ୍ତା ପ୍ରକଟ କଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ ବଢ଼ୁଥିବା ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ପ୍ରକାଶ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) । ଆଇଏମ୍‌ଏଫ୍ ଅଶୋଧିତ ତୈଳ ବଢ଼ୁଥିବା ଦାମର ପ୍ରଭାବ ଦ୍ୱାରା ବିଶ୍ୱର ମୁଦ୍ରାସ୍ଫୀତି ଏବଂ ବିକାଶକୁ ନେଇ ଉପୁଜୁଥିବା ବାଧାକୁ ନେଇ ଏକ ରିପୋର୍ଟ ଜାରି କରିଛି । ୭୦ ଦଶକରେ ଉଚ୍ଚ ମୁଦ୍ରାସ୍ଫୀତି ଜନିତ ମାନ୍ଦାବସ୍ଥା ଉପୁଜିଥିଲା । ପୁଣି ଥରେ କିଛି ଏମିତି ହେବା ନେଇ ଲୋକଙ୍କ ମନରେ ଡର ରହିଛି । ଅବଶ୍ୟ ଏବେ ସମୟ ବଦଳି ଯାଇଛି, ଆଜି ବ୍ୟାଙ୍କ ଅଧିକ ସ୍ୱତନ୍ତ୍ର ହୋଇଛନ୍ତି ଏବଂ ଏହି ଦଶକରେ ସେମାନଙ୍କର ମୁଦ୍ରାନୀତି ଉପରେ ଲୋକଙ୍କ ଭରଷା ରହିଛି ।

ଏହି ସମୟରେ ସମଗ୍ର ବିଶ୍ୱର ବିକାଶ ହାର ୩.୫ ପ୍ରତିଶତ ରହିପାରେ । ତେବେ ଏହି ଆକଳନ ଆହୁରି କମ୍ ହେବାର ସମ୍ଭାବନା ରହିଥିବା ବେଳେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ସମ୍ଭାବନା ଥିବା କହିଛି ଆଇଏମ୍‌ଏଫ୍ । ରୁଷ୍ ଉପରେ ଇନ୍ଧନ ପାଇଁ ନିର୍ଭର କରୁଥିବା ୟୁୂରୋପୀୟ ରାଷ୍ଟ୍ର ମାନଙ୍କରେ ଏହି ପ୍ରଭାବ ଅଧିକ ରହିବ ବୋଲି କୁହାଯାଇଛି ।

ୟୁକ୍ରେନରେ ଯୁଦ୍ଧ ଯୋଗୁଁ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି ଯାହା ଆର୍ôଥକ ସଙ୍କଟ ମଧ୍ୟ ସୃଷ୍ଟି କରିଛି ବୋଲି ଗତ ମାସର ଆଉଟଲୁକ୍‌ରେ ଆଇଏମ୍‌ଏଫ୍ ପକ୍ଷରୁ କୁହାଯାଇଥିଲା । ଯୁଦ୍ଧ ଯୋଗୁଁ ୨୦୨୨ରେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେବ ଯାହାଦ୍ୱାରା ମୁଦ୍ରାସ୍ଫୀତି ଆହୁରି ବଢ଼ିବ । ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ଦର ତୀବ୍ର ଭାବରେ ବଢିଛି ଏବଂ ଏହାର ପ୍ରଭାବ ସଙ୍କଟଗ୍ରସ୍ତ ଦେଶଙ୍କ ଉପରେ ସବୁଠୁ ଅଧିକ ପଡ଼ିଛି । ବିଶ୍ୱର ଆର୍ôଥକ ଅଭିବୃଦ୍ଧି ୨୦୨୧ରେ ୬.୧ ପ୍ରତିଶତରୁ ଖସି ୨୦୨୨, ୨୦୨୩ ରେ ୩.୬ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି ।