କଣ୍ଟିଲୋ,ଏନ୍ଏନ୍ଏସ୍: ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ମାତ୍ର ଅନେକ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଂକୁଳ ଶ୍ରେଣୀ ଗୃହରେ ପାଠପଢ଼ା ଚାଲିଛି । ଏପରି ଏକ ବିଦ୍ୟାଳୟ ହେଉଛି ସିଧାମୂଳା ପଞ୍ଚାୟତ ବଳରାମ ପ୍ରସାଦର କୃଷ୍ଣଗୌରାଙ୍ଗ ମେମୋରିଆଲ ନୋଡାଲ ଉଚ୍ଚ ବିଦ୍ୟାଳୟ । ଯେଉଁଠି ଅସୁରକ୍ଷିତ ଶ୍ରେଣୀଗୃହରେ ସରୀସୃପଙ୍କ ମେଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି ।
୧୯୭୭ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ୫ଟି ଛପର ଘର ମଧ୍ୟରୁ ଶିକ୍ଷକଙ୍କ ପାଇଁ ଗୋଟିଏ କମନ ରୁମ, ଅଫିସ୍ ରୁମ୍ ବ୍ୟତୀତ ୩ଟି ଶ୍ରେଣୀ ଗୃହ ରହିଛି । ସମସ୍ତ ଟାଇଲ୍ ଛପର ଗୃହ ଅସୁରକ୍ଷିତ ଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ମରାମତି ପାଇଁ କେହି ନଜର ଦେଉ ନଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ୨୦୦୯ ଜୁଲାଇ ୧୩ ତାରିଖରେ ୯ମ ଶ୍ରେଣୀ ପିଲାମାନଙ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଠାତ୍ ଅସୁରକ୍ଷିତ ଶ୍ରେଣୀ ଗୃହ ଉପରୁ ଟାଇଲ୍ ଖସି ୭ ଜଣ ବିଦ୍ୟାର୍ଥୀ ଆହତ ହୋଇଥିଲେ ।
ପରେ ବିଭିନ୍ନ ସମୟରେ ବର୍ଷା ଓ ବାତ୍ୟା ସମୟରେ କିଛି ଟାଇଲ୍ ନଷ୍ଟ ହୋଇଥିବାବେଳେ ଅନେକ ସମୟରେ ମାଙ୍କଡ଼ଙ୍କ ଯୋଗୁଁ ଶ୍ରେଣୀ ଗୃହଗୁଡ଼ିକ ଅଧିକ ବିପଦସଂକୁଳ ହୋଇପଡ଼ୁଛି । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସ୍କୁଲରେ ସରୀସୃପ ଦେଖିବାକୁ ମିଳୁଛି । ଏଠାରେ ପିଇବା ପାଣି ମୁନ୍ଦେ ପିଲାମାନଙ୍କୁ ମିଳୁନି । ତେଣୁ ତୁରନ୍ତ ଏହି ସ୍କୁଲ ପ୍ରତି ଦୃଷ୍ଟି ଦେବାକୁ ପୁରାତନ ଛାତ୍ର ସଦାଶିବ ଦାବି କରିଛନ୍ତି ।