ମହଙ୍ଗା ହେବ ଖାଇବା ତେଲ; ଏପ୍ରିଲରେ ଆମଦାନୀ ୧୩ % ହ୍ରାସ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ମହଙ୍ଗାଇ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ପନିପରିବା ଓ ଖାଇବା ତେଲ ମହଙ୍ଗା ମାଡରେ ସାଧାରଣର ଲୋକଙ୍କୁ କନ୍ଦାଉଥିବା ବେଳେ ପୁଣି ଥରେ ମହଙ୍ଗା ହେବାକୁ ଯାଉଛି ଖାଇବା ତେଲ। ଏପ୍ରିଲ୍ ମାସରେ ସଲଭେଣ୍ଟସ ଏକ୍ସଟ୍ରାକ୍ଟର ଆସୋସିଏସନ୍ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଖାଇବା ତେଲ ଆମଦାନୀ ପ୍ରାୟ ୧୩% ହ୍ରାସ ପାଇଛି। ଏପ୍ରିଲରେ ୯୧୧୮୪୬ ଟନ୍ ଖାଇବା ତେଲ ଆମଦାନୀ କରାଯାଇଥିବା ବେଳେ ବିଗତ ବର୍ଷ ଏପ୍ରିଲରେ ଏହି ସଂଖ୍ୟା ୧୦୨୩୩୪୭ ଟନ୍ ରହିଥିଲା। ଏଡିବଲ ଅଏଲ(ଖାଇବା ତେଲ) ଆମଦାନୀ ୧୦,୨୯,୯୧୨ଟନ୍‌ରୁ ୯ଲକ୍ଷ ୮୫ ଟନକୁ ହ୍ରାସ ପାଇଥିବା ବେଳେ ନନ୍ ଏଡିବଲ ଅଏଲ (ବିଭିନ୍ନ ସାମଗ୍ରୀ ପସ୍ତୁତିରେ ବ୍ୟବହୃତ) ଆମଦାନୀ ୨୩ ହଜାର ୪୩୫ ଟନ୍‌ରୁ ୧୧୭୬୧ ଟନ୍‌କୁ ହ୍ରାସ ପାଇଛି। ଆମଦାନୀ ହେଉଥିବା ତେଲର ପରିମାଣ ହ୍ରାସ ପାଇଥିବା ବେଳେ ଏହା ପରୋକ୍ଷରେ ବଜାରକୁ ପ୍ରଭାବିତ କରିବ। ଫଳରେ ମହଙ୍ଗା ଥିବା ଖାଇବ ତେଲର ଦରଦାମ ଆଉଥରେ ଆକାଶ ଛୁଇଁବ।

ବିଗତ ୬ ମାସର ତଥ୍ୟକୁ ଅନୁଶୀଳନ କଲେ ଭାରତର ତେଲ ଆମଦାନୀ ବଢିଛି। ନଭେମ୍ବର ୨୦୨୧ରୁ ଏପ୍ରିଲ୍ ୨୦୨୨ ମଧ୍ୟରେ ଭାରତର ତୈଳ ଆମଦାନୀ ପ୍ରାୟ ୪%ବୃଦ୍ଧି ପାଇଛି। ବିଗତ ବର୍ଷର ଏହି ସମୟରେ ପ୍ରାୟ ୬୪ ଲକ୍ଷ ୨୮ହଜାର ୩୫୦ ଟନ୍ ତେଲ କିଣାଯାଇଥିବା ବେଳେ ଚଳିତ ବର୍ଷ ୬୭ ଲକ୍ଷ ୭ହଜାର ୫୭୪ ଟନ୍ ତେଲ ରପ୍ତାନୀ କରାଯାଇଛି। ଏପ୍ରିଲ୍ ୨୮, ୨୦୨୨ ପରଠାରୁ ଇଣ୍ଡୋନେସିଆ ପକ୍ଷରୁ ପାମ୍ ଅଏଲ୍ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି। ଏହି କାରଣରୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଭାରତ ସମୁଦାୟ ୬ରୁ ୬.୫ ଲକ୍ଷ ପାମ୍ ଅଏଲ୍ ଆମଦାନୀ କରିଥାଏ। ଏହା ମଧ୍ୟରୁ ପ୍ରାୟ ୩ ଲକ୍ଷ ଟନ୍ ପାମୋଲିନ୍ କେବଳ ଇଣ୍ଡୋନେସିଆ ରପ୍ତାନୀ କରିଥାଏ। ତେବେ ଇଣ୍ଡୋନେସିଆରୁ ନୈରାଶ୍ୟଜନକ ଖବର ଆସିବା ପରେ ତୈଳ ଦର ଭୟଙ୍କର ଭାବରେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି କରିଛି।