ଧାମନଗର ଉପନିର୍ବାଚନ: ଭୋଟରଙ୍କୁ ପ୍ରଲୋଭନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରମୁଖ ରାଜନୈତିକ ଲାଗି ଧାମନଗର ଉପନିର୍ବାଚନ କର ବା ମର ସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ବିଭିନ୍ନ ରାଜନୈତିକ ଦଳ ବିରୋଧରେ ଆସିଛି ଅନେକ ଅଭିଯୋଗ । ଭୋଟରଙ୍କୁ ପ୍ରଲୋଭିତ ଓ ଆଦର୍ଶ ଆଚରଣ ବିଧି ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରେସମିଟରେ ଚେତାବନୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ସିଇଓ ସୂଚନା ଦେଇଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଲାଞ୍ଚ ଦେବା ଓ ଭୋଟରଙ୍କୁ ପ୍ରଭାବିତ କରିବା ମୁକ୍ତ ନିର୍ବାଚନର ପରିପନ୍ଥି ନୁହେଁ । ଭୋଟରକୁ ପ୍ରଲୋଭିତ କରିବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ, ପ୍ରଲୋଭନ ଦେବା ଅପରାଧ ହୋଇଥିବାବେଳେ ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତ ଦଳ ଓ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବା ଭଳି ଆଚରଣରୁ ବିରତ ରହିବାକୁ କୁହାଯାଇଛି । ଭୋଟ ଗ୍ରହଣ କେନ୍ଦ୍ରଠାରୁ ୧୦୦ ମିଟର ଭିତରେ ସଭା ଓ ପ୍ରଚାର କରିବା, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସାଧାରଣ ସଭା କରିବା ଓ ଭୋଟରଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ଗାଡ଼ି ବ୍ୟବସ୍ଥା କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି କୁହାଯାଇଛି ।

ସେହିପରି ‘ସି-ଭିଗିଲ୍‌’ ଆପ ଜରିଆରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଏଥିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଧାରଣ ଜନତା ଅଭିଯୋଗ କରିପାରିବେ । ଏହାଦ୍ବାରା ସାଧାରଣ ଜନତା ସ୍ବତନ୍ତ୍ର ହୋଇ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସହଯୋଗ କରିପାରିବେ । ଆଖି ଆଗରେ ଦେଖୁଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଲାଇଭ ରିପୋର୍ଟ କରିବା ପାଇଁ ଏଥିରେ ଅନୁମତି ଦିଆଯାଇଛି । ଏଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ୧୦୦ ମିନିଟର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହି ୧୦୦ ମିନିଟ ମଧ୍ୟରେ ଅଭିଯୋଗର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯାଇଛି ।

ଇତି ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୨ ଟି ଅଭିଯୋଗ ଆସିଥିବାବେଳେ ୨୧୬ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିଇଓ ।