ସୁନକଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ନବନିର୍ବାଚିତ ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ସହ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି (ଗୁରୁବାର) ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ହୋଇଥିବା ଶୁଭେଚ୍ଛା ବାର୍ତ୍ତାଳାପ ନେଇ ଉଭୟ ନେତା ଟ୍ବିଟ କରି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ବିଟରେ ଲେଖିଛନ୍ତି, ‘‘ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସୁନକଙ୍କୁ ଅଭିନନ୍ଦନ । ଦୁଇ ଦେଶର ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ଦିଗରେ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ । ଏକ ବିସ୍ତୃତ ଏବଂ ସନ୍ତୁଳିତ ଏଫ୍‌ଟିଏ ପାଇଁ ଆଲୋଚନା କଲୁ ।’

ସେହିପରି ଋଷି ସୁନକ ମଧ୍ୟ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁନକ କହିଛନ୍ତି, “ବ୍ରିଟେନ ଏବଂ ଭାରତ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଦ୍ବିପାକ୍ଷିକ ଅଂଶୀଦାରୀ ରହିଆସିଛି । ଭାରତ ଓ ବ୍ରିଟେନ ଦୁଇ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର ପରସ୍ପର ସହଯୋଗରେ ସଫଳ ଭାବେ କାର୍ଯ୍ୟ କରିବା ଦିଗରେ ମୁଁ ବେଶ ଉତ୍ସାହିତ ଅଛି ।’’ ଆଗମୀ ସମୟରେ ଦୁଇ ଦେଶର ସୁରକ୍ଷା, ଅର୍ଥନୀତି ଓ ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପାରିକ ସହଯୋଗ ଆହୁରି ସୁଦୃଢ ହେବା ନେଇ ସେ ଆଶାବାଦୀ ରହିଥିବା ମଧ୍ୟ କହିଛନ୍ତି ସୁନକ ।

ତେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଉଛନ୍ତି ଗ୍ରେଟ ବ୍ରିଟେନର ପ୍ରଥମ କୃଷ୍ଣକାୟ ତଥା ଦୀର୍ଘ ୨ ଶତାବ୍ଦୀରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ଲିଜ ଟ୍ରସଙ୍କ ଇସ୍ତଫା ପରେ ସେ ଶାସକ କଞ୍ଜରଭେଟିବ ପାର୍ଟିର ନେତା ନିର୍ବାଚିତ ହେବା ପରେ ରାଜା ଚାର୍ଲ୍ସଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ଏହି ୪୨ ବର୍ଷୀୟ ଯୁବ ବ୍ରିଟିଶ ସାଂସଦ । ପ୍ରଧାନମନ୍ତ୍ରୀ ମନୋନୀତ ହେବା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ଆଜି ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ।