ଜିମ୍ବାୱେର ଜଲୱା, ପାକିସ୍ତାନକୁ ୧ ରନ୍‌ରେ ହରାଇଲାର

ପର୍ଥ,ଏଜେନ୍ସି: ଟି-୨୦ ବିଶ୍ବକପ୍‌ରେ ଜଲୱା ଦେଖାଇଲା ଜିମ୍ବାୱେ । ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ୧ ରନ୍‌ରେ ମାତ୍‌ ଦେଇଛି ଜିମ୍ବାୱେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଜିମ୍ବାୱେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱକେଟ ବିନିମୟରେ ୧୩୦ ରନ୍‌ କରିଥିଲା ଜିମ୍ବାୱେ । ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୧୨୯ ରନ୍‌ ହିଁ କରିବାକୁ ସକ୍ଷମ ହୋଇପାରିଥିଲା । ଜିମ୍ବାୱେର ଅଲ୍‌ରାଉଣ୍ଡର ସିକନ୍ଦର ରାଜା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଏହି ମ୍ୟାଚ୍‌ରେ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ସିକନ୍ଦର ରାଜା । ଗୋଟିଏ ବର୍ଷରେ ସେ ୭ ଥର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ପ୍ରଥମ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଜିମ୍ବାୱେ ଦଳ ପକ୍ଷରୁ ସିନ୍‌ ୱିଲିୟମ୍ସ ସର୍ବାଧିକ ୩୧ ରନ୍‌ କରିଥିଲେ । ଆଉ କୌଣସି ବ୍ୟାଟର ୨୦ ରନ୍‌ରୁ ଅଧିକ ସ୍କୋର୍‌ କରିପାରିନଥିଲେ । ଫଳରେ ଦଳ ୮ ୱିକେଟ ହରାଇ ୧୩୦ ରନ୍‌ ହିଁ କରି ପାରିଥିଲା । ପାକିସ୍ତାନ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ମହମ୍ମଦ ୱାସିମ ଜୁନିଅର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସଦାବ ଖାନ୍‌ ୩ଟି ୱିକେଟ ଅକ୍ତିଆର କରିଥିଲେ । ଫାଷ୍ଟ ବୋଲର ହାରିସ ରାଉଫ ଗୋଟିଏ ୱିକେଟ ନେଇଥିଲେ ।

୧୩୧ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନ ଦଳ ଆରମ୍ଭରୁ ୱିକେଟ ହରାଇଥିଲା । ଅଧିନାୟକ ବାବର ଆଜମ ମାତ୍ର ୪ ରନ ପାଭେଲିୟନ ଫେରିଥିଲେ । ରିଜୱାନ ମଧ୍ୟ ୧୪ ରନ୍‌ କରି ୱିକେଟ ହରାଇଥିଲେ । ପାକିସ୍ତାନ ପକ୍ଷରୁ ସାନ ମାସୁଦ ସର୍ବାଧିକ ୪୪ ରନ କରିଥିଲେ । ଅଲ୍‌ରାଉଣ୍ଡର ମହମ୍ମଦ ନୱାଜ୍‌ ୨୨ ରନ୍‌ କରିଥିଲେ । ଶେଷ ଓଭରରେ ନୱାଜଙ୍କ ୱିକେଟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ପାକିସ୍ତାନ ପକ୍ଷରୁ ଆଉ କୌଣସି ବ୍ୟାଟର ଦଳକୁ ବିଜୟ ଦ୍ବାରକୁ ନେବାକୁ ସକ୍ଷମ ହୋଇ ପାରିନଥିଲେ ।

ଜିମ୍ବାୱେ ପକ୍ଷରୁ ଚମତ୍କାର ବୋଲିଂ ପ୍ରଦର୍ଶନ ହୋଇଥିଲା । ସ୍ପିନର ସିକନ୍ଦର ରାଜା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବ୍ରାଡ ଇଭାନ୍‌ ଦୁଇଟି ୱିକେଟ ନେଇଛନ୍ତି । ବ୍ଲେସିଂ ମୁଜରବାନି ଓ ଲ୍ୟୁକ୍‌ ଜୋଙ୍ଗ୍‌ ଗୋଟିଏ ଲେକାଏଁ ୱିକେଟ ନେଇ ଜିମ୍ବାୱେକୁ ବିଜୟ ଦେଇଛନ୍ତି ।