ସଂସଦର ଚଳିତ ଅଧିବେଶନରେ ଆସିବନି କ୍ରିପ୍ଟୋ ବିଧେୟକ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ କ୍ରିପ୍ଟୋ ବିଲ୍ ଆଗତ ହେବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି। ସମ୍ପ୍ରତି ବିଶ୍ୱରେ କ୍ରିପ୍ଟୋକରେନ୍ସି ପ୍ରମୁଖ ପ୍ରସଙ୍ଗ ହେବାରେ ଲାଗିଛି। ଦେଶରେ ମଧ୍ୟ କ୍ରିପ୍ଟୋ କ୍ଷେତ୍ରରେ ନିବେଶ ପ୍ରତି ଆଗ୍ରହ ବଢ଼ିଛି। ଏହି ପରିପ୍ରେକ୍ଷୀରେ ସରକାର ସଂସଦରେ କ୍ରିପ୍ଟୋ ବିଧେୟକ ଆଗତ କରିବାର ସମ୍ଭାବନା ରହିଥିଲା। ଆଜି ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ଏ ନେଇ କୌଣସି ଆଲୋଚନା ହୋଇଥିବାର ସୂଚନା ମିଳିନାହିଁ। ଫଳରେ ସଂସଦର ଚଳିତ ଅଧିବେଶନରେ ବିଧେୟକ ଆଗତ ହେବାର ସମ୍ଭାବନା କମ୍ ରହିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ସରକାର କ୍ରିପ୍ଟୋକରେନ୍ସିକୁ ଆଇନଗତ ମୁଦ୍ରା ଭାବେ ମାନ୍ୟତା ଦେବା ପ୍ରସଙ୍ଗରେ ଅମଙ୍ଗ ରହି ଆସିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ଗଭର୍ଣ୍ଣର୍ ମଧ୍ୟ ଏ ନେଇ ସମ୍ଭାବ୍ୟ ବିପଦର ସଙ୍କେତ ଦେଇ ସାରିଛନ୍ତି। ସରକାର କ୍ରିପ୍ଟୋ ବିଧେୟକର ଅନ୍ତିମ ରୂପଦେଇ ପାରିନାହାନ୍ତି। ସରକାର ପ୍ରସ୍ତାବିତ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି।