୧୫ଂ ତଳେ ୧୯ ସହର: ଉତ୍ତର-ପଶ୍ଚିମ ଓ ଉତ୍ତର ପଟୁ ବହୁଛି ଥଣ୍ଡା ବାୟୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରାୟ ସମସ୍ତ ଜିଲ୍ଲାରେ ପାରଦ ତଳକୁ ଖସୁଥିବାବେଳେ ଶୀତର ଲହରୀ ପୁଣି ଲେଉଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୯ ସହର ୧୫ ଡିଗ୍ରୀ ତଳେ ଥିବାବେଳେ ୮ ସହର ୧୩ ଡିଗ୍ରୀ ତଳେ ରହିଛି। ପାହାଡ଼ି ଅଞ୍ଚଳ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ରାତି ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସମତଳ ଅଞ୍ଚଳ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟ ସହର ଯଥା ଝାରସୁଗୁଡ଼ା ୧୦.୮ ଡିଗ୍ରୀ, କେନ୍ଦୁଝର ୧୧.୨ ଡିଗ୍ରୀ, ଟିଟଲାଗଡ଼ ୧୧.୩ ଡିଗ୍ରୀ, ସୁନ୍ଦରଗଡ଼ ୧୨ ଡିଗ୍ରୀ, ସୋନପୁର ୧୨.୪ ଡିଗ୍ରୀ, ଭବାନୀପାଟଣା ୧୨.୯ ଡିଗ୍ରୀ, ହୀରାକୁଦ ୧୩.୨ ଡିଗ୍ରୀ, ବଲାଙ୍ଗିର ୧୩.୬ ଡିଗ୍ରୀ, କୋରାପୁଟ ୧୩.୮ ଡିଗ୍ରୀ ଥିବାବେଳେ ବାଲେଶ୍ୱର, କଟକ, ଭୁବନେଶ୍ୱର, ଅନୁଗୁଳ, ବାରିପଦା, ସମ୍ବଲପୁର ଓ ତାଳଚେରରେ ତାପମାତ୍ରା ୧୪ରୁ ୧୫ ଡିଗ୍ରୀ ଭିତରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନାରେ ଏବେ ଓଡ଼ିଶାକୁ ଉଭୟ ଉତ୍ତର ଓ ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ଉପରସ୍ତରରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ପାଗ ସାଧାରଣତଃ ଏବେ ଧୁଆଁଳିଆ ରହୁଛି। ଆଗକୁ ରାଜ୍ୟରେ ପାରଦ ଆହୁରି ତଳକୁ ଖସିବା ସହ ଉପକୂଳଠୁ ଉପାନ୍ତ ସବୁଠି ଶୀତ ପରିମାଣ ବଢ଼ିବ। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣରେ ପାରଦ ୨ ଡିଗ୍ରୀ ତଳକୁ ଖସିଛି। ସେହିପରି ଉପକୂଳରେ ପାରଦ ୦.୫ ଡିଗ୍ରୀଠାରୁ ୧ ଡିଗ୍ରୀ ଯାଏ ତଳମୁହାଁ ହୋଇଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ଘନକୁହୁଡ଼ି ନଜରକୁ ଆସୁଥିବାବେଳେ ଉପକୂଳ ଅଞ୍ଚଳରେ ହାଲୁକା କୁହୁଡ଼ି ନଜରକୁ ଆସୁଛି। ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଥଣ୍ଡା ଜାରି ରହିବ ବୋଲି ବିଶେଷଜ୍ଞ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ହାଲୁକା ଶୀତ ପଡ଼ିବା ଆରମ୍ଭ ହୋଇଥିବାବେଳେ ବିଳମ୍ବ ହେଉ ପଛେ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ପୁଣି ସକ୍ରିୟ ହେବାରେ ଲାଗିଛି। କିଛି ସ୍ଥାନରେ ଘନକୁହୁଡ଼ି ନଜରକୁ ଆସିଥିବାବେଳେ ଆସନ୍ତା ୨ରୁ ୩ ଦିନ ରାଜ୍ୟରେ କୁହୁଡ଼ି ପଡ଼ିବା ଜାରି ରହିବ। ବିଶେଷ କରି କହିବାକୁ ଗଲେ ରାଜ୍ୟକୁ ଏବେ ପୂରୁବା ପବନ ବହିବାରେ ରୋକ ଲାଗିଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତି ପାରଦ କମିବାରେ ଲାଗିଛି। ସହରବାସୀ ଶୀତର ମଜା ନେବା ସହ ନିଜକୁ ଫିଟ୍ ରଖିବା ପାଇଁ ସକାଳୁ ସକାଳୁ ଖେଳ ପଡ଼ିଆ ଓ ଜିମରେ ଭିଡ଼ ଜମାଉଛନ୍ତି। ଅନ୍ୟପଟେ ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପୁଇଁବାର ଦେଖିବାକୁ ମିଳିଛି।