ଏସ୍‌ବିଆଇ ରିପୋର୍ଟ: ଜନଧନ ଖାତା ଯୋଗୁଁ କମିଛି ଅପରାଧ, ୩୧.୬୭ କୋଟି ଲୋକଙ୍କୁ ମିଳିଛି ମାଗଣା ବୀମା

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ଯେଉଁ ଜିଲ୍ଲାରେ ଅଧିକ ସଂଖ୍ୟକ ଜନଧନ ଖାତା ରହିଛି ସେହି ଜିଲ୍ଲାରେ ଅପରାଧ ହାର, ମଦ ତଥା ତମ୍ବାଖୁ ଆଦି ନିଶାଯୁକ୍ତ ପଦାର୍ଥର ଉପଯୋଗ ମଧ୍ୟ କମିଛି ବୋଲି ଏସ୍‌ବିଆଇ ରିସର୍ଚ ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଦେଶରେ ଜନଧନ ଯୋଜନାରେ ୪୩.୭୬ କୋଟି ବ୍ୟାଙ୍କ୍ ଖାତା ଖୋଲାଯାଇଛି। ଏହା ଜନଧନ-ଆଧାର-ମୋବାଇଲ୍ ତ୍ରିମୂର୍ତ୍ତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ରିପୋର୍ଟ କହିଛି। ଯାହା ଦ୍ୱାରା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଯୋଜନା ଜନିତ ଅର୍ଥ ଓ ରିହାତିର ସଫଳ ଉପଯୋଗ ହୋଇପାରିଛି।

ଏହାବ୍ୟତୀତ ଗ୍ରାମୀଣ କ୍ଷେତ୍ରରେ ମଦ ତଥା ତମାଖୁ ଆଦି ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହୋଇଛି। ଅପରକ୍ଷରେ ଜନଧନ ଯୋଜନା ଜରିଆରେ ଖୋଲାଯାଇଥିବା ଖାତାଧାରକଙ୍କ ମଧ୍ୟରୁ ୩୧.୬୭ କୋଟି ଡେବିଟ୍‌କାର୍ଡ ଜାରି କରାଯାଇ ୨ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ଜନିତ ବୀମା ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ଅର୍ଦ୍ଧାଧିକ ଖାତା ମହିଳାଙ୍କର ବୋଲି ଜଣାପଡ଼ିଛି। ଦେଶରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ବ୍ୟାଙ୍କ୍ ସଂଖ୍ୟା ୧୪.୭ରେ ପହଞ୍ଚିଛି। ଯାହା ଜର୍ମାନୀ, ଚୀନ ଓ ଦକ୍ଷିଣ ଆଫ୍ରିକାରୁ ଅଧିକ।