୧୦୦ ଟଙ୍କା ଶସ୍ତା ହେଲା ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ତୈଳ ନିଗମର ନୂଆବର୍ଷ ଭେଟି। ଶସ୍ତା ହେଲା ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର। ଆଇଓସିଏଲ୍ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ରେ ୧୦୦ ଟଙ୍କା ହ୍ରାସ କରିଛି। କିନ୍ତୁ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ସେଭଳି କିଛି ଘଟିନାହିଁ। ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି।

ଆଇଓସିଏଲ୍ ଅନୁଯାୟୀ, ଜାନୁୟାରୀ ପହିଲାରୁ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦୨ ଟଙ୍କା କାଟ୍ ହୋଇଛି। ଏଣିକି ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୯୯୮.୫ ଟଙ୍କାରେ ମିଳିବ। ଅନ୍ୟ ପ୍ରମୁଖ ମହାନଗର ଚେନ୍ନାଇରେ ଦାମ୍ ୨୧୩୧ ଟଙ୍କା, ମୁମ୍ବାଇରେ ୧୯୪୮.୫୦ ଟଙ୍କା ଏବଂ କୋଲକାତାରେ ୨୦୭୬ ଟଙ୍କାରେ ଉପଲବ୍ଧ ହେବ।

ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୦୦ ଟଙ୍କା ମହଙ୍ଗା ହୋଇଥିଲା। ସେହିପରି ଏ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଗତ ଅକ୍ଟୋବରରେ ଏହାର ଦର ବୃଦ୍ଧି ଘଟିଥିଲା।