ଦକ୍ଷିଣପନ୍ଥୀର ଘୋଷଣା, ଓୱେସିଙ୍କୁ ଗିରଫ କଲେ ମିଳିବ ୨୨ ଲକ୍ଷ

ଚଣ୍ଡିଗଡ,ଏଜେନ୍ସି: ହିନ୍ଦୁସନ୍ଥ କାଳୀଚରଣ ମହାରାଜଙ୍କ ଗିରଫଦାରୀ ବିରୋଧରେ ହରିୟାଣା ଗୁରୁଗ୍ରାମ ଠାରେ ଗର୍ଜିଲା ଦକ୍ଷିଣପନ୍ଥୀ ସଙ୍ଗଠନ। କାଳୀଚରଣଙ୍କୁ ମୁକୁଳାଇବା ଦାବିରେ ସଙ୍ଗଠନର କିଛି ସଦସ୍ୟ ଶୁକ୍ରବାର ରାସ୍ତାକୁ ଓହ୍ଲାଇବାକୁ ପଛେଇ ନାହାନ୍ତି । ରାଜରାସ୍ତାରେ ଜୋରାଦର ଆନ୍ଦୋଳନ କରିବା ସହ ସଙ୍ଗଠନ ଅଲ ଇଣ୍ଡିଆ ମଜଲିସ-ଇ-ଇତହୁଲ୍ଲ ମୁସଲିମ (AIMIM)ର ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ଗିରଫ ପାଇଁ ମଧ୍ୟ ଦାବି କରିଛି। ଯେଉଁ ପୋଲିସ ଅଧିକାରୀ ଓୱେସିଙ୍କୁ ଗିରଫ କରିବେ ସେ ତାଙ୍କୁ ନଗଦ ୨୨ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣ କରିଛି ଦକ୍ଷିଣପନ୍ଥୀ।

ଉଲ୍ଲେଖଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ସନ୍ଥ କାଳୀଚରଣଙ୍କୁ ଗୁରୁବାର ଛତିଶଗଡ ପୋଲିସ ଗିରଫ କରିଥିଲା। ରାୟପୁରରେ ଆୟୋଜିତ ଧର୍ମ ସଂସଦରେ କାଳୀଚରଣ ଏହି ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ।

କାଳୀଚରଣଙ୍କ ଗିରଫକୁ ବିରୋଧ କରି ଶୁକ୍ରବାର ବହୁସଂଖ୍ୟକ ଦକ୍ଷିଣପନ୍ଥୀ କର୍ମକର୍ତ୍ତା ଡେପୁଟି କମିଶନରଙ୍କ ବାସଭବନ ସମ୍ମୁଖରେ ଥିବା ଟ୍ୟାଙ୍କ ପାର୍କରେ ଏକତ୍ରିତ ହୋଇଥିଲେ। କାଳୀଚରଣଙ୍କୁ ଜେଲରୁ ବାହାର କରିବା ଏବଂ ଓୱେସିଙ୍କୁ ଗିରଫ ଦାବିରେ ନାରାବାଜି କରି ଲଘୁ ସଚିବାଳୟ ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ। ସନ୍ଥ ଏବଂ ଅନ୍ୟାନ୍ୟ ଧର୍ମଗୁରୁଙ୍କ ଅପମାନ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲା ସଙ୍ଗଠନ।