ଦେଶରେ ବଢ଼ୁଛି ମୋବାଇଲ୍ ଆପ୍ କ୍ରେଜ୍, ଦୈନିକ ୪.୮ ଘଣ୍ଟା ସମୟ ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,ଏଜେନ୍ସି: ସ୍ମାର୍ଟଫୋନ୍‌ରେ ସମୟ ବିତାଇବା ମାମଲାରେ ଭାରତ ବିଶ୍ୱର ୪ର୍ଥ ସ୍ଥାନରେ ପହଞ୍ଚିଛି। ଦେଶରେ ସ୍ମାର୍ଟଫୋନ୍‌ର ଉପଲବ୍‌ଧତା ବଢ଼ିବା ସହିତ ମୋବାଇଲ୍ ଘାଣ୍ଟିବାରେ ଭାରତୀୟଙ୍କ ସମୟ ଅଧିକ ମାତ୍ରାରେ ବିନିମୟ ହେବାରେ ଲାଗିଛି। ମୋବାଇଲ୍ ଆପ୍ ବିଶ୍ଳେଷଣ କରୁଥିବା କମ୍ପାନୀ ଏପ୍ ଆନୀର ରିପୋର୍ଟ ଅନୁସାରେ ଭାରତୀୟମାନେ ଦୈନିକ ହାରାହାରି ୪.୮ ଘଣ୍ଟା ସମୟ ମୋବାଇଲ୍‌ରେ ବିତାଉଛନ୍ତି। ଏହି ମାମଲାରେ ଦୈନିକ ୫.୫ ଘଣ୍ଟା ସମୟ ବିତାଇ ଇଣ୍ଡୋନେସିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ୫.୪ ଘଣ୍ଟା ସହିତ ବ୍ରାଜିଲ୍ ଦ୍ୱିତୀୟରେ, ଦୈନିକ ୫ ଘଣ୍ଟାର ସହିତ ଦକ୍ଷିଣକୋରିଆ ତୃତୀୟରେ ଓ ଭାରତ ୪ର୍ଥ ସ୍ଥାନରେ ରହିଛି।

ଭାରତ ପଛକୁ ମେକ୍ସିକୋ (୪.୮), ଜାପାନ (୪.୮), କାନାଡ଼ା (୪.୪), ରୁଷ (୪.୪), ଆମେରିକା (୪.୨) ଓ ତୁର୍କୀ (୪.୨) ରହିଛନ୍ତି। ଗତବର୍ଷ ଏହି ମାମଲାରେ ଭାରତୀୟମାନେ ଦୈନିକ ହାରାହାରି ୪ ଘଣ୍ଟା ମୋବାଇଲ୍‌ରେ ବିତାଉଥିଲେ। ଅପରପକ୍ଷରେ ଭାରତୀୟମାନେ ଅଧିକ ସମୟ ମୋବାଇଲ୍ ଗେମିଂ ଆପ୍‌ର ଉପଯୋଗ କରୁଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ। ଏହାବ୍ୟତୀତ ଫିନ୍‌ଟେକ୍ ଓ କ୍ରିପ୍ଟୋ ଆପ୍‌ସ ମଧ୍ୟ ଭାରତରେ ଲୋକପ୍ରିୟ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଦେଶରେ ବିଭିନ୍ନ ମୋବାଇଲ୍ ଆପ୍‌ସର ଡାଉନ୍‌ଲୋଡ୍ କ୍ଷେତ୍ରରେ ମଧ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ତୃତୀୟ ତ୍ରୟମାସିକ ସୁଦ୍ଧା ଆପ୍ ଡାଉନ୍‌ଲୋଡ୍ କ୍ଷେତ୍ରରେ ୨୮% ବୃଦ୍ଧି ଘଟିଛି। ଦେଶରେ ଡାଉନ୍‌ଲୋଡ୍ ହୋଇଥିବା ବିଭିନ୍ନ ତଥା ମୋଟ ଆପ୍‌ସର ସଂଖ୍ୟା ୨୪ ହଜାର କୋଟିରେ ପହଞ୍ଚିଛି। ସମଗ୍ର ବିଶ୍ୱରେ ଭାରତ ମୋବାଇଲ୍ ଗେମିଂ କ୍ଷେତ୍ରରେ ଏକ ବୃହତ୍ ବଜାରରେ ପରିବର୍ତ୍ତିତ ହୋଇଛି। ପ୍ରତ୍ୟେକ ୫ମ ମୋବାଇଲ୍ ଗେମ୍ ଆପ୍ ଭାରତରେ ଡାଉନ୍‌ଲୋଡ୍ ହେଉଛି।