ସିଆଇଆଇର ସିଇଓ ପୋଲ୍: ଚଳିତ ଆର୍ଥିକବର୍ଷରେ ୯ରୁ ୧୦% ରହିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ବ୍ୟବସ୍ଥା ଦ୍ରୁତ ଅଗ୍ରଗତି କରିବ। ଏହି ଅବଧିରେ ଦେଶର ଆର୍ଥିକ ବ୍ୟବସ୍ଥା ୯ରୁ ୧୦% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ)ର ରାଷ୍ଟ୍ରୀୟ ପରିଷଦ ଦ୍ୱାରା କରାଯାଇଥିବା ସିଇଓ ସର୍ଭେରୁ ଜଣାପଡ଼ିଛି। ଅପରପକ୍ଷରେ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ ଔଦ୍ୟୋଗିକ କ୍ଷେତ୍ରରେ ଉତ୍ପାଦନତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ସିଆଇଆଇ ଦ୍ୱାରା ଆଜି ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ସରକାରଙ୍କ ଦ୍ୱାରା କରୋନା ମହାମାରୀ ପରିପ୍ରେକ୍ଷୀରେ ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ଅର୍ଥ ବ୍ୟବସ୍ଥାରେ ଦ୍ରୁତ ସୁଧାର ଆସିଛି। ସର୍ଭେରେ ଭାଗ ନେଇଥିବା ୧୦% ସିଇଓ ଅର୍ଥବ୍ୟବସ୍ଥା ୧୦% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ସରକାର ସାର୍ବଜନୀନ କାମ ଉପରେ ଗୁରତ୍ୱ, ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଲିକ୍ୱିଡିଟିର ଉପଲବ୍‌ଧତା ନେଇ ସମୟୋପଯୋଗୀ ପଦକ୍ଷେପ, ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ଓ ଅନ୍ୟ ଅନେକ ସାହସିକ ପଦକ୍ଷେପ ସୁଧାରର ଭରସା ବୃଦ୍ଧି କରିଛି ବୋଲି ସିଆଇଆଇର ଅଧ୍ୟକ୍ଷ ଟି ଭି ନରେନ୍ଦ୍ରନ କହିଛନ୍ତି।

ଅପରପକ୍ଷରେ ୫୬% ସିଇଓ କହିଛନ୍ତି ଯେ ଦେଶର ଅର୍ଥ ବ୍ୟବସ୍ଥା ୯ରୁ ୧୦% ମଧ୍ୟରେ ଅଭିବୃଦ୍ଧି ହାସଲ କରିବ। ୩୫% ସିଇଓ ଚଳିତ ଆର୍ଥିକ ବର୍ଷରେ ୧୦ରୁ ୨୦% ପର୍ଯ୍ୟନ୍ତ ରାଜସ୍ୱ ବୃଦ୍ଧି ହେବ ବୋଲି କହିଛନ୍ତି। ଏହାବ୍ୟତୀତ କରୋନାର ନୂଆ ଭାରିଆଣ୍ଟ୍ ଦେଶର ଅର୍ଥବ୍ୟବସ୍ଥା ପାଇଁ ଚିନ୍ତାଜନକ ରହିବ ବୋଲି ସର୍ଭେରେ ଜଣାପଡ଼ିଛି।