ସେନ୍‌ସେକ୍ସରେ ବୃହତ୍ ହ୍ରାସ: ନିବେଶକ ହରାଇଲେ ୪.୫୫ ଲକ୍ଷ କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଓମିକ୍ରନ୍‌ର ପ୍ରବେଶ ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଭାରତୀୟ ବଜାରକୁ ପ୍ରଭାବିତ କରିଛି। ଭାରତୀୟ ବଜାର ଉପରେ କୋଭିଡ୍‌ର ସମ୍ଭାବିତ ତୃତୀୟ ଲହର ଭାରି ରହିଛି। ବିଦେଶ ବଜାରରୁ ମିଳୁଥିବା ନେଗେଟିଭ୍ ସଙ୍କେତ ମଧ୍ୟ ଭାରତୀୟ ବଜାରକୁ ପ୍ରଭାବିତ କରୁଛି। ଆଜି ସପ୍ତାହାନ୍ତ ଦିନରେ ଭାରତୀୟ ବଜାରରେ ବୃହତ୍ ହ୍ରାସ ଘଟିଛି। କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ)ରେ ୮୮୯.୪୦ ସୂଚକାଙ୍କ ହ୍ରାସ ପାଇ ୫୭,୦୧୧.୭୪ ସୂଚକାଙ୍କରେ ସ୍ଥିର ରହିଛି।

ଅପରପକ୍ଷରେ ନିଫ୍ଟି ମଧ୍ୟ ୨୬୩.୨୦ ସୂଚକାଙ୍କ ହ୍ରାସ ପାଇ୧୬,୯୮୫.୨୦ ସୂଚକାଙ୍କରେ ସ୍ଥିର ରହିଛି। ଦେଶରେ ଦୁଇଦିନ ବ୍ୟାପୀ ବ୍ୟାଙ୍କ୍ କର୍ମଚାରୀଙ୍କ ଧର୍ମଘଟ ମଧ୍ୟ ଭାରତୀୟ ବଜାରକୁ ପ୍ରଭାବିତ କରିଛି। ଆଜି ବ୍ୟାଙ୍କିଙ୍ଗ୍ ଶେୟାର୍ସରେ ଅଧିକ ହ୍ରାସ ଘଟିଛି। ଆଜି କାରବାର ଶେଷ ବେଳକୁ ସେନ୍‌ସେକ୍ସରେ ତାଲିକାଭୁକ୍ତ କମ୍ପାୀନଗୁଡ଼ିକର ମୋଟ ବଜାର ପୁଞ୍ଜିକରଣରେ ୪.୫୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟି ୨୫୯.୪୭ ଲକ୍ଷ କୋଟିରେ ପହଞ୍ଚିଛି। ବିଦେଶୀ ନିବେଶକଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର, ସୁଧ ହାର ବୃଦ୍ଧିର ଆଶଙ୍କା ଆଦି ମଧ୍ୟ ପ୍ରଭାବ ପକାଇଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।