ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନ ଧରାଶାୟୀ, ହରମନପ୍ରୀତ୍‌ଙ୍କ ଡବଲ୍‌ରେ ଭାରତ ବିଜୟୀ

ଢାକା,ଏଜେନ୍ସି: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଶୁକ୍ରବାର ଭାରତ ତା’ର ତୃତୀୟ ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ୩-୧ ଗୋଲ୍‌ରେ ବିଜୟୀ ହୋଇ ସେମିଫାଇନାଲ୍ ନିକଟତର ହୋଇଛି। ଭାରତର ପ୍ରମୁଖ ଡ୍ରାଗ୍‌ଫ୍ଲିକର୍ ତଥା ଉପଅଧିନାୟକ ହରମନପ୍ରୀତ୍ ସିଂହଙ୍କ ଡବଲ୍ ଗୋଲ୍ ବଳରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାଜୟ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମ୍ୟାଚ୍‌ର ଅଷ୍ଟମ ଓ ୫୩ତମ ମିନିଟ୍‌ରେ ହରମନପ୍ରୀତ୍ ଦୁଇଟି ଗୋଲ୍ ପେନାଲ୍‌ଟି କର୍ଣ୍ଣର୍‌ରୁ ସ୍କୋର୍ କରିଥିଲେ।

ଏହାଛଡ଼ା ଗତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ଟିମ୍‌ରେ ସାମିଲ୍ ହୋଇ ନ ଥିବା ଆକାଶଦୀପ ସିଂହ ଅନ୍ୟ ଗୋଲ୍‌ଟି କରିଥିଲେ। ସେ ମ୍ୟାଚ୍‌ର ୪୨ତମ ମିନିଟ୍‌ରେ ଏହି ଗୋଲ୍‌ଟି ଦେବା ସହ ପ୍ରତିଯୋଗିତାରେ ତାଙ୍କର ଗୋଲ୍ ସଂଖ୍ୟାକୁ ୨ରେ ପହଞ୍ଚାଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଜୁନୈଦ୍ ମନଜୁର ସ୍କୋର୍ କରିଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚ୍‌ଟିକୁ କୋରିଆ ସହ ୨-୨ରେ ଡ୍ର’ ରଖିଥିବା ଭାରତ ପରବର୍ତ୍ତୀ ମୁକାବିଲାରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲ୍‌ରେ ପରାସ୍ତ କରିଥିଲା। ସେହିପରି ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌କୁ ଜାପାନ ସହ ଡ୍ର’ ରଖିଥିବା ବେଳେ ଅଦ୍ୟାବଧି ବିଜୟଶୂନ୍ୟ ରହିଛି। ପାକିସ୍ତାନ ମାତ୍ର ଗୋଟିଏ ପଏଣ୍ଟ୍ ପାଇପାରିଥିବା ବେଳେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ସହ ସମୁଦାୟ ୭ ପଏଣ୍ଟ୍ ପାଇ ଟେବଲ୍ ଶୀର୍ଷରେ ରହିଛି। ଦଳ ତା’ର ଶେଷ ରାଉଣ୍ଡ୍ ରବିନ୍ ଲିଗ୍ ମୁକାବିଲାରେ ରବିବାର ଜାପାନକୁ ଭେଟିବ।

ମ୍ୟାଚ୍‌ର ପ୍ରଥମ ଦୁଇଟି କ୍ୱାର୍ଟର୍‌ରେ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଅବଶ୍ୟ ଏହି ୩୦ ମିନିଟ୍‌ର ଖେଳରେ ପାକିସ୍ତାନର ରକ୍ଷଣପନ୍ଥୀ ଖେଳାଳିମାନେ ହରମନପ୍ରୀତ୍‌ଙ୍କ ଏକମାତ୍ର ଷ୍ଟ୍ରାଇକ୍‌କୁ ବିଫଳ କରିବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧ ଖେଳରେ ଅଧିକାଂଶ ସମୟରେ ପାକିସ୍ତାନ ସର୍କଲ୍‌ରେ ଭାରତୀୟ ଖେଳାଳିମାନେ ଆକ୍ରମଣ କରୁଥିବା ଦେଖାଯାଇଥିଲା। ଭାରତ ପକ୍ଷରୁ ଦୁଇଟି ଗୋଲ୍ ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। ଭାରତର ଉଦ୍ୟମକୁ ମଧ୍ୟ ପାକିସ୍ତାନୀ ଗୋଲକିପର୍ ମଜର୍ ଅବ୍‌ବାସ ପରାହତ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଅଷ୍ଟମ ମିନିଟ୍‌ରେ ଭାରତକୁ ଅଗ୍ରଣୀ ହାସଲରୁ ସେ ବଞ୍ଚିତ କରିପାରି ନ ଥିଲେ। ଭାରତକୁ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ଣ୍ଣର୍‌କୁ ହରମନ୍‌ପ୍ରୀତ୍ ଗୋଲ୍‌ରେ ପରିଣତ କରି ଭାରତକୁ ଆଗୁଆ କରାଇଥିଲେ। ଅବଶ୍ୟ ଏହାର ୪ ମିନିଟ୍ ପରେ ଅଧିନାୟକ ମନପ୍ରୀତ୍ ସିଂହଙ୍କ ଡିଫ୍ଲେକ୍ସନ୍‌କୁ ରୋକି ଅବ୍‌ବାସ ଆଉ ଏକ ଚମତ୍କାର ସେଭ୍ କରିଥିଲେ। ଦ୍ୱିତୀୟ କ୍ୱାର୍ଟର୍‌ରେ ମଧ୍ୟ ସମାନ ତରିକାରେ ଭାରତ ଆକ୍ରମଣ ଜାରି ରଖିଥିଲା ଓ ଏକାଧିକ ଗୋଲ୍ ଉଦ୍ୟମ ମଧ୍ୟ କରିଥିଲା। କିନ୍ତୁ ପାକିସ୍ତାନ ରକ୍ଷଣପନ୍ଥୀମାନେ ଆଉ ଗୋଲ୍ ବରଣ କରି ନ ଥିଲେ। ତେବେ ଦଳର ଫରୱାର୍ଡ ଖେଳାଳିମାନେ ପ୍ରଭାବହୀନ ପ୍ରଦର୍ଶନ କରିବା ଫଳରେ ଭାରତକୁ ଏହାର ଫାଇଦା ମିଳିଥିଲା।

ପ୍ରଥମାର୍ଦ୍ଧ ଖେଳ ଶେଷ ବେଳକୁ ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଆକାଶଦୀପ ସୁମିତଙ୍କଠାରୁ ପାଇଥିବା ପାସ୍‌କୁ ରିଭର୍ସ ହିଟ୍ ମାଧ୍ୟମରେ ଗୋଲ୍‌ରେ ପରିଣତ କରିଥିଲେ। ଅବଶ୍ୟ ପାକିସ୍ତାନ ପକ୍ଷରୁ ତୃତୀୟ କ୍ୱାର୍ଟର୍ ଶେଷ ହେବାକୁ ୨୭ ସେକେଣ୍ଡ୍ ବାକି ଥିବା ସମୟରେ ଅବଦୁଲ୍ ରାଣାଙ୍କ ପାସ୍‌କୁ ମନଜୁର ଗୋଲ୍‌ରେ ପରିଣତ କରି ଦଳର ଆଶାକୁ ଉଜ୍ଜୀବିତ ରଖିଥିଲେ। ଶେଷ କ୍ୱାର୍ଟର୍‌ରେ ୪୭ତମ ମିନିଟ୍‌ରେ ପାକିସ୍ତାନକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା। କିନ୍ତୁ ପାକିସ୍ତାନ ସ୍ଥିତି ବରାବର କରିବାରେ ବିଫଳ ହୋଇଥିଲା। ପରେ ପରେ ଦଳକୁ ଆହୁରି ୨ଟି ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ଭାରତର ଯୁବ ଗୋଲକିପର୍ ସୂରଜ କର୍କେରା ଚମତ୍କାର ସେଭ୍ କରି ସ୍ଥିତିକୁ ଭାରତ ସପକ୍ଷରେ କାଏମ ରଖିଥିଲେ। ଅଧିକନ୍ତୁ ୫୩ତମ ମିନିଟ୍‌ରେ ଭାରତକୁ ଦ୍ୱିତୀୟ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା ଓ ଏହାର ପୂର୍ଣ୍ଣ ଫାଇଦା ନେଇ ଦଳ ପାଇଁ ତୃତୀୟ ଓ ନିଜର ଦ୍ୱିତୀୟ ଗୋଲ୍ ଦେଇଥିଲେ ହରମନପ୍ରୀତ୍। ଆଉ ମାତ୍ର ୩ ମିନିଟ୍ ସମୟ ବଞ୍ଚିଥିବା ବେଳେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଲା। କିନ୍ତୁ ବରୁନ୍ କୁମାରଙ୍କ ଶଟ୍‌କୁ ଅବ୍‌ବାସ ରୋକି ପରାଜୟ ବ୍ୟବଧାନକୁ ହ୍ରାସ କରିଥିଲେ।