ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣକୁ ନେଇ ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଜଟଣୀର ନାଇଜରରେ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣକୁ ନେଇ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆଗାମୀ ୩ ମାସ ମଧ୍ୟରେ ସ୍ଥାପନ ହେବ ଏବଂ ପରବର୍ତ୍ତୀ ୧୮ ମାସ ମଧ୍ୟରେ ନିର୍ମାଣ ଶେଷ ହେବ । ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାର୍ଟର ଓ ବିଦ୍ୟାଳୟ ଆଦି ନିର୍ମାଣ ହେବ । ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ହେବ । ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଧନ୍ୟବାଦ ଜଣାଇଥିଲେ । ୬୫୦ କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପରେ ରାଜ୍ୟ ସରକାର ଆବଶକୀୟ ସହାୟତା ଯୋଗାଇ ଦେବା ପାଇଁ ସାଂସଦ ଅନୁରୋଧ ମଧ୍ୟ କରିଛନ୍ତି ।