ଅକଳରେ ଅଶ୍‌ନୀର ଗ୍ରୋଭର୍; ପରିବାର ଉପରେ ଅର୍ଥ ହେରଫେର୍ ଆରୋପ

ନୂଆଦିଲ୍ଲୀ,ଏଜେନ୍ସି: ଅଚାନକ୍ ଆକାଶରୁ ଭୂମିକୁ ଖସିଛନ୍ତି ଭାରତପେ’ର ପ୍ରତିଷ୍ଠାତା ଅଶ୍‌ନୀର ଗ୍ରୋଭର୍। ନିଜ ହାତରେ ଗଢ଼ିଥିବା କମ୍ପାନୀରୁ ଅପମାନଜନକ ଭାବେ ଇସ୍ତଫା ଦେବାର ଗୋଟିଏ ଦିନ ପରେ କମ୍ପାନୀ ବୋର୍ଡର୍ ଗ୍ରୋଭର୍‌ଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛି। ଗ୍ରୋଭର୍ କମ୍ପାନୀର କର୍ମଚାରୀ, ନିର୍ଦ୍ଦେଶକ କିମ୍ବା ପ୍ରତିଷ୍ଠାତା ପଦରେ ନାହାନ୍ତି ବୋଲି ସୂଚନା ଦେଇଛି।

କେବଳ ସେତିକି ନୁହେଁ ଅଶ୍‌ନୀର ଓ ପରିବାର କମ୍ପାନୀର ଅର୍ଥକୁ ହେରଫେର କରିଛନ୍ତି ବୋଲି ଅଭିଯୋଗ ଲଗାଇ ବିବୃତି ଜାରି କରିଛି କମ୍ପାନୀ। ଗ୍ରୋଭର ପରବାରର ନିନ୍ଦନୀୟ ଆଚରଣ ଯୋଗୁଁ ଭାରତପେ’ ତଥା ଏହାର କର୍ମଚାରୀଙ୍କ ନିଷ୍ଠା ଓ ବୈଶ୍ୱିକ ସ୍ତରରେ ଥିବା ପ୍ରତିଷ୍ଠା ମାଟିରେ ମିଶିଯାଇଛି ବୋଲି କହିଛି କମ୍ପାନୀ। ସୂଚନାଯୋଗ୍ୟ ଯେ କମ୍ପାନୀର ସହପ୍ରତିଷ୍ଠାତା ଗ୍ରୋଭର୍ ଗତକାଲି ପରିଚାଳନାମଣ୍ଡଳୀରୁ ଇସ୍ତଫା ଦେଇଥିଲେ।