ପ୍ରଥମ ଥର ଅଷ୍ଟମ ଓ ନବମ ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଏବଂ ମେଧାବୀଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। କରୋନା ଲାଗି ରାଜ୍ୟରେ ୨ବର୍ଷ ହେବ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଯେଉଁ ଗ୍ୟାପ୍ ସୃଷ୍ଟି ହୋଇଛି ତାହାକୁ ଭରଣ କରିବା ଲାଗି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ଦଶମ ଶ୍ରେଣୀରେ ମେଧାବୀଙ୍କ ଲାଗି ସରକାର ଯୋଗାଇବେ ଅନେକ ସୁବିଧାସୁଯୋଗ। ତେବେ ଦୁର୍ବଳ ପିଲାଙ୍କୁ ଦଶମ ଶ୍ରେଣୀରେ ସ୍ୱତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବରୁ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଲଗାତାର ୨ବର୍ଷ ୭୫ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା।

ଏହି ମେଧା ତାଲିକାରେ ଯେତେ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପାଠପଢ଼ା ଲାଗି ସମସ୍ତ ସୁବିଧା ସୁଯୋଗ ସମ୍ପୃକ୍ତ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯିବ। ତେବେ ଦୈନିକ ସ୍କୁଲରେ କମନ୍ ଶିକ୍ଷାଦାନ ଶେଷ ହେବା ପରେ ଦୁର୍ବଳ ପିଲାଙ୍କ ଲାଗି ଏବଂ ମେଧା ତାଲିକାରେ ଥିବା ପିଲାଙ୍କ ଲାଗି ଭିନ୍ନ ଭିନ୍ନ କ୍ଲାସ ହେବ। ଦୈନିକ ଏହିଭଳି ଶିକ୍ଷାଦାନ ବ୍ୟବସ୍ଥା ପାଇଁ ୯୦ମିନିଟ୍ ଧାର୍ଯ୍ୟ କରାଯିବ। ତେବେ ମେଧା ତାଲିକାରେ ଥିବା ପିଲାଙ୍କୁ ଏକ୍ସଟ୍ରା ପାଠପଢ଼ା ସହିତ ପରୀକ୍ଷା ପୂର୍ବରୁ ଯେପରି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ସେନେଇ ଏଭଳି ଅଭନବ ପ୍ରୟାସ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଅଷ୍ଟମ ଶ୍ରେଣୀ ୩୩୦୭ଟି ଏବଂ ୨୬୮୨ଟି ସେକେଣ୍ଡାରୀ ସ୍କୁଲ ରହିଛି। ତେବେ ଅଷ୍ଟମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨୨ ଲକ୍ଷ ୨ ହଜାର ଥିବାବେଳେ ନବମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ ହଜାର ୬୪୭ ଜଣ। ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୭୫ପ୍ରତିଶତରୁ ଅଧିକ ମାର୍କ ଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ। ଜିଲ୍ଲାୱାରୀ ଏବଂ ବ୍ଲକୱାରୀ ତାଲିକା ପ୍ରସ୍ତତ କରିବାରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସହାୟତା କରିବେ। ଦଶମରେ ଯେଉଁ ସବୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ସେହି ମେଧା ତାଲିକାରେ ଥିବା ପିଲାଙ୍କର ଭିନ୍ନ ତାଲିକା କରାଯିବ। ଏପରିକି ପ୍ରତ୍ୟେକ ଶ୍ରେଣୀରେ ସର୍ବାଧିକ ୫୫ ଜଣ ଛାତ୍ରଛାତ୍ରୀ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ମେଧା ତାଲିକାରେ ଥିବା ପିଲାଙ୍କୁ ସବୁ ଶ୍ରେଣୀରେ ସମାନ ଭାବେ ରଖାଯିବ।

ପ୍ରତ୍ୟେକ ଜିଲ୍ଲାରେ ଥିବା ହାଇସ୍କୁଲଗୁଡିକରେ ଦଶମରେ ଯେତେଜଣ ଛାତ୍ରଛାତ୍ରୀ ମେଧା ତାଲିକାରେ ରହିବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ବିଭାଗ ପାଖକୁ ପଠାଯିବ। ଏହାବ୍ୟତୀତ ସମ୍ପୃକ୍ତ ମେଧା ତାଲିକାରେ ଯେଉଁ ସବୁ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପ୍ରତି ବିଷୟରେ କେଉଁ ପିଲାର କେତେ ମାର୍କ ରହିଛି ତାହା ମଧ୍ୟ ଦର୍ଶାଯିବ। ସ୍କୁଲଗୁଡିକରେ ଯେଉଁ ମେଧା ତାଲିକା ପ୍ରସ୍ତୁତ କରାଯିବ ସେଥିରେ ସର୍ବାଧିକ ମାର୍କ ରଖିଥିବା ପିଲାଙ୍କୁ କ୍ରମିକ ଭାବେ ତାଲିକାଭୁକ୍ତ କରାଯିବ। ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁ ପିଲାମାନେ ଆର୍ଥିକ ଅନଗ୍ରସର ଏବଂ କେଉଁମାନେ ବିପିଏଲ୍ ବର୍ଗର ଏବଂ କେଉଁ ପିଲାର ପିତା କିମ୍ବା ମାତାଙ୍କର ମୃତ୍ୟୁ ଘଟିଛି ସେ ସବୁକୁ ନଜର ଦେଇ ମଧ୍ୟ ସ୍ୱତନ୍ତ୍ର ତାଲିକା ହେବ। ଫଳରେ ସେହି ମେଧାବୀ ପିଲାଙ୍କୁ ସେମାନଙ୍କର ସୁବିଧା ଅନୁଯାୟୀ ଦଶମ ପରୀକ୍ଷା ଲାଗି ପ୍ରସ୍ତୁତ କରାଯିବ।

ଅନେକ ସମୟରେ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭଲ ମାର୍କ ରଖୁଥିବା ଛାତ୍ରଛାତ୍ରୀମାନେ ଠିକ୍ ଯତ୍ନ ଅଭାବରୁ ସେମାନଙ୍କର କ୍ୟାରିୟର ଉପରେ ପ୍ରଭାବ ପଡ଼ିଥାଏ। ଏପରିକି ରିର୍ପୋଟ ଅନୁଯାୟୀ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ମଧ୍ୟରୁ ୫୫ ପ୍ରତିଶତ ପିଲା ଦଶମ ପରୀକ୍ଷାରେ ଉପଯୁକ୍ତ ଯତ୍ନର ଅଭାବରୁ ଖରାପ ପ୍ରଦର୍ଶନ କରିଥାନ୍ତି। ତେଣୁ ରାଜ୍ୟରେ ଏପରି ମେଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ପ୍ରଥମଥର ଏହି ବ୍ୟବସ୍ଥା ହେଉଛି।