ଅକଳରେ ‘ସାଓମୀ’: ୬୫୩ କୋଟିର ଆମଦାନୀ ଶୁଳ୍କ ଚୋରି ଆରୋପ

ନୂଆଦିଲ୍ଲୀ,ଏଜେନ୍ସି: ଅକଳରେ ପଡ଼ିଛି ଚୀନ୍ ସ୍ମାର୍ଟଫୋନ୍ ନିର୍ମାତା ସାଓମୀ। ଚୀନ୍ ନିର୍ମାତାର ଭାରତୀୟ କମ୍ପାନୀ ଉପରେ ଲାଗିଛି କର ଚୋରିର ଆରୋପ। ସରକାର ଆରୋପ ଲଗାଇବା ସହିତ ୬୫୩ କୋଟି ଟଙ୍କାର ନୋଟିସ୍ ଜାରି କରିଛନ୍ତି। ଶାଓମୀ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଯାଞ୍ଚ୍ ସମୟରେ ଏକତ୍ରିତ କରାଯାଇଥିବା ବିଭିନ୍ନ ପ୍ରମାଣ ଆଧାରରେ ଏହି ଜୋରିମାନା ଲାଗୁ କରାଯାଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିବୃତି ଜାରି କରି ସୂଚନା ଦେଇଛି। ଫଳରେ ଏ ନେଇ କାରଣ ବତାଓ ନୋଟିସ୍ ଜାରି କରାଯାଇଛି।

ରାଜସ୍ୱ ଇଣ୍ଟେଲିଜେନ୍ସି ବିଭାଗ (ଡିଆର୍‌ଆଇ) ଦ୍ୱାରା ଯାଞ୍ଚ୍‌ରେ ଜଣାପଡ଼ିଥିଲା କି କମ୍ପାନୀ ଦ୍ୱାରା ଆମଦାନୀ କରାଯାଇଥିବା ସାମଗ୍ରୀର ନିର୍ଦ୍ଧାରିତ ମୂଲ୍ୟରେ ରୟାଲିଟି ରାଶି ସାମିଲ୍ କରାଯାଇ ନଥିଲା। ଯାହା ସୀମା ଶୁଳ୍କ ଆଇନ୍‌ର ଉଲ୍ଲଙ୍ଘନ। ନେଣଦେଣ ମୂଲ୍ୟରେ ରୟାଲ୍ଟି ଓ ଲାଇସେନ୍ସ ଶୁଳ୍କ ନଯୋଡ଼ି ଶାଓମୀ ଇଣ୍ଡିଆ ସୀମାଶୁଳ୍କକୁ ଫାଙ୍କି ଆସୁଥିଲା। ଡିଆର୍‌ଆଇ ଦ୍ୱାରା ଯାଞ୍ଚ୍ କରାଯିବା ପରେ ଶାଓମୀ ଟେକ୍‌ନୋଲୋଜୀ ଇଣ୍ଡିଆ ପ୍ରା. ଲିଃକୁ ସୀମାଶୁଳ୍କ ଅଧିନିୟମ ୧୯୬୨ର ପ୍ରାବଧାନ ଅନୁସାରେ ଏପ୍ରିଲ୍ ୨୦୧୭ରୁ ୩୦ ଜୁନ୍ ୨୦୨୦ ଅବଧି ପାଇଁ ୬୫୩ କୋଟି ଟଙ୍କାର ଶୁଳ୍କର ଡିମାଣ୍ଡ୍ ଓ ଅସୁଲି ନେଇ ତିନୋଟି କାରଣ ବତାଓ ନୋଟିସ୍ ଜାରି କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି।