ଫ୍ରୋଜିଟ୍‌ର ଇ-କମର୍ସ ପ୍ଲାଟ୍‌ଫର୍ମ ଆରମ୍ଭ, ଅନ୍‌ଲାଇନ୍‌ରେ ମିଳିବ ଫ୍ରୋଜିଟ୍ ଉତ୍ପାଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରୁଚି ଫୁଡ୍ ଲାଇନ୍‌ର ଅନ୍ୟତମ ଶାଖା ଫ୍ରୋଜିଟ୍ ଚଳିତ ବର୍ଷ ନିଜର ଭିତ୍ତିଭୂମିକୁ ବିସ୍ତାରିତ କରିବାର ଯୋଜନା କରିଛି। ସମ୍ପ୍ରତି ରୁଚିର ୨୫୦ରୁ ଊର୍ଦ୍ଧ୍ୱ ଉତ୍ପାଦ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛି। ଦୀର୍ଘ ୪୬ ବର୍ଷ ଧରି ଓଡ଼ିଶାର ଘରେ ଘରେ ପରିଚିତ ରୁଚି ମସାଲା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ପୂର୍ବ ଭାରତରେ ଅନ୍ୟତମ ଶ୍ରେଷ୍ଠ ଉଦ୍ୟୋଗ ଭାବେ ପରିଚିତ ହୋଇପାରିଛି। ଆଜି ରୁଚି ଉଦ୍ୟୋଗ ଦ୍ୱାରା ଆୟୋଜିତ ଗଣମାଧ୍ୟମ ସମ୍ମିଳନୀ ଫ୍ରୋଜିଟ୍ ମିଟ୍ ଦ ପ୍ରେସ୍‌ରେ ଫ୍ରୋଜିଟ୍‌ର ଅନ୍‌ଲାଇନ୍ ବ୍ୟବସାୟ ଅର୍ଥାତ୍ ଫ୍ରୋଜିଟ୍ ଇ-କମର୍ସ ପ୍ଲାଟ୍‌ଫର୍ମର ଉନ୍ମୋଚନ କରାଯାଇଥିଲା।

ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ଫ୍ରୋଜିଟ୍‌ର ଗ୍ରାହକମାନେ ଅନ୍‌ଲାଇନ୍ ମାଧ୍ୟମରେ ନିଜ ଘରେ ବସି ସ୍ୱଳ୍ପ ସମୟ ମଧ୍ୟରେ ପସନ୍ଦ ମୁତାବକ ଫ୍ରୋଜିଟ୍‌ର ଉତ୍ପାଦ ପାଇପାରିବେ। ସମ୍ପ୍ରତି ଫ୍ରୋଜିଟ୍‌ର ୧୬୦ ଉତ୍ପାଦ ରହିଛି। ଆଗାମୀ ସମୟରେ ଅଧିକ ଉତ୍ପାଦ ଯୋଗ କରିବା ସହିତ ସାରା ଓଡ଼ିଶାରେ ୬୫ରୁ ଊର୍ଦ୍ଧ୍ୱ ଫ୍ରାଞ୍ଚାଇଜ୍ ଆଉଟ୍‌ଲେଟ୍ ସ୍ଥାପନ କରିବା ନେଇ ଲକ୍ଷ୍ୟ ସ୍ଥିର କରାଯାଇଛି। ୨୦୧୨ରେ ଆରମ୍ଭ ହୋଇଥିବା ଫ୍ରୋଜିଟ୍ ବିଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରିମିୟମ୍‌, ସ୍ୱାସ୍ଥ୍ୟ ଉପଯୋଗୀ, ମୃଦୁପାନୀୟ, ବେକରୀ, ଫ୍ରୋଜନ୍ ଫୁଡ୍‌ସ, ରେଡି ଟୁ ଇଟ୍‌, ରେଡି ଟୁ କୁକ୍‌, ଖାଦ୍ୟ ପ୍ରସ୍ତୁତ୍ କରି ବେଶ୍ ଲୋକାଦୃତ ହୋଇପାରିଛି ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଫ୍ରୋଜିଟ୍‌ର ନିର୍ଦ୍ଦେଶିକା ରଶ୍ମୀ ସାହୁ। କାର୍ଯ୍ୟକ୍ରମରେ ଫ୍ରୋଜିଟ୍‌ର ସ୍ୱତନ୍ତ୍ର ଫ୍ରାଞ୍ଚାଇଜ୍ ମଡେଲ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ନିତିଦିନ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ଶ୍ରୀମତୀ ସାହୁ କହିଛନ୍ତି ଯେ ଏହି ମଡେଲ୍ ଓଡ଼ିଶାର ଯୁବ ବ୍ୟବସାୟୀଙ୍କୁ ବ୍ୟବସାୟ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଯୋଗାଇଦେବ। ସ୍ୱଳ୍ପ ଅର୍ଥ ବିନିମୟରେ ଓଡ଼ିଶାର ଯୁବ ଉଦ୍ୟୋଗୀ ଏକ ସୁନ୍ଦର କ୍ୟାରିୟର୍ ଗଢ଼ିପାରିବେ। କାର୍ଯ୍ୟକ୍ରମରେ ଫ୍ରୋଜିଟ୍‌ର ଫାର୍ମ-ବି ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ରୁଚି ଓ ଫ୍ରୋଜିଟ୍‌ର ସଫଳତା ପରେ ଫାର୍ମ-ବି ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଖାଉଟିଙ୍କୁ ବେଶ୍ ଉତ୍ସାହିତ କରିବ ବୋଲି କହିଥିଲେ ରୁଚିର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଶରତ ସାହୁ।

ଆଗାମୀ ଦିନରେ ଓଡ଼ିଶାରେ ଶହ ଶହ ଶରତ ସାହୁ ସୃଷ୍ଟି ହୁଅନ୍ତୁ ବୋଲି ସେ ଏହି ଅବସରରେ ଆଶା ପ୍ରକଟ କରିଥିଲେ। ଫାର୍ମ୍‌-ବି ମାଧ୍ୟମରେ ଓଟ୍‌ସ, କନ୍‌ଫ୍ଲେକ୍‌ସ, ମ୍ୟୁସେଲି ଓ ଚକୋଚିପ୍‌ସ ବେଶ୍ ଗ୍ରହଣୀୟ ହେବ ବୋଲି କହିଥିଲେ ରୁଚିର ଅନ୍ୟତମ ନିର୍ଦ୍ଦେଶକ ଅରବିନ୍ଦ ସାହୁ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଫ୍ରୋଜିଟ୍‌ର ଶାଖା ଖୋଲିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଆୟୋଜିତ ସମ୍ମିଳନୀରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ସଲିନା ସାହୁ, ଲୋକସମ୍ପର୍କ ଅଧିକାରୀ ଦେବସ୍ମିତା ମିଶ୍ର ଓ କମ୍ପାନୀର ଅନେକ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।