- ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଦୌ ନିୟୋଜିତ କରାଯାଇପାରିବ ନାହିଁ। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାର ମୁଖ୍ୟମାନଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠିରେ କୁହାଯାଇଛି ଯେ, ରୋଗୀଙ୍କ ଚିକିତ୍ସାବେଳେ ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା କରିବା ପାଇଁ କୌଣସି ଅଣ-ସ୍ୱାସ୍ଥ୍ୟକର୍ମୀ ଯେପରି ନିୟୋଜିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ୍। ସେହିଭଳି ହସ୍ପିଟାଲ୍ ଆସୁଥିବା ରୋଗୀମାନଙ୍କୁ କେବଳ ପ୍ରାଧିକୃତ ବ୍ୟକ୍ତି ହିଁ ଚିକିତ୍ସା କରିପାରିବେ।
ଗଞ୍ଜାମ ଜିଲ୍ଲାରୁ ଏକ ହସ୍ପିଟାଲ୍ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ପକ୍ଷରୁ ଏଭଳି ଚିଠି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗଞ୍ଜାମ ଜିଲ୍ଲାରେ ଏକ ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଯୋଗୁଁ ସୁରକ୍ଷା କର୍ମୀ ଜଣେ ରୋଗୀଙ୍କ ରକ୍ତଚାପ ମାପିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା ଯେ, ଡାକ୍ତର ଡ୍ୟୁଟିରେ ଥିଲେ। ସେ ମଧ୍ୟ ଉକ୍ତ ରୋଗୀଙ୍କ ରକ୍ତଚାପ ମାପିଥିଲେ। ତେବେ ଏହି ସମୟରେ ଉକ୍ତ ସୁରକ୍ଷାକର୍ମୀ ତାଙ୍କୁ ସହଯୋଗ କରିଥିଲେ। କିନ୍ତୁ ଏହା ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ନୁହେଁ। ସେଥିପାଇଁ ସରକାରୀ ହସ୍ପିଟାଲ୍ଗୁଡ଼ିକରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ନେଇ ଏକ ଭୁଲ୍ ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚିଲା। ଏହି ଘଟଣାକୁ ସରକାର ଗୁରୁତର ସହିତ ବିଚାରକୁ ନେଇଛନ୍ତି। ଏଭଳି ଘଟଣା ଯେପରି ସରକାରୀ ଡାକ୍ତରଖାନାଗୁଡ଼ିକରେ ପୁନର୍ବାର ନଘଟେ, ସେଥିପାଇଁ ଯତ୍ନବାନ ହେବାକୁ ପଡ଼ିବ ବୋଲି ଚିଠିରେ ଲେଖାଯାଇଛି।