- ଭୁବନେଶ୍ୱର: ଯାଜପୁରର ବହୁଚର୍ଚ୍ଚିତ ଶିଶୁକନ୍ୟା ପିହୁ ନିଖୋଜ ମାମଲାରେ ରାଜ୍ୟ ପୁଲିସ ଡିଜିଙ୍କୁ ଜବାବ ତଲବ କଲେ ଏନଏଚଆରସି। ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ପିହୁ। ଘଟଣାକୁ ୧୨ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତା’ର ସନ୍ଧାନ ମିଳିନାହିଁ।
ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର ଲକ୍ଷ୍ମଣ ନାୟକ। ତାଙ୍କ ଦୁଇ ବର୍ଷର କୁନି ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା। ଆଉ ତାଙ୍କ ପତ୍ନୀ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ ‘ପିହୁ’ କେଉଁଆଡେ ଗାଏବ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ‘ପିହୁ’ର ପତ୍ତା ପାଇନଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବାବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ। ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ। ପିହୁ ନିଖୋଜକୁ ୧୨ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ହେଲେ ଅଦ୍ୟାବଧି ପୁଲିସ ପିହୁ ସମ୍ପର୍କରେ କୌଣସି ସୁରାକ ପାଇବାରେ ବିଫଳ ହୋଇଛି। ତେବେ ପିହୁ ପରିବାର ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବା ଚେତାବନୀ ଦିଆଯିବା ପରେ ପୁଲିସ ଗତ ଫେବୃଆରୀ ମାସରେ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀରେ ଖୋଜାଖୋଜି କରିଥିଲା। ହେଲେ ଏଯାଏଁ ପିହୁର ପତ୍ତା ମିଳିପାରିନାହିଁ।