କୋଟିଆରେ ପୁଣି ପଶିଲା ଆନ୍ଧ୍ର

  • କୋରାପୁଟ,ପଟ୍ଟାଙ୍ଗି: କୋଟିଆ ପଞ୍ଚାୟତ ଫାଟୁସିନେରୀରେ ସର୍ବଦଳୀୟ ଶକ୍ତି ପଦର୍ଶନ ୩ ଦିନ ପରେ ଆଜି ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିଛନ୍ତି। ଫାଟୁସିନେରୀରେ ପଞ୍ଚାୟତ ଗୃହ ସହିତ ଅଙ୍ଗନବାଡ଼ି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଫଗୁଣସିନେରୀରେ କୃଷିବନ୍ଧୁ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପାର୍ବତୀପୁରମ ପିଏ ଆଇଟିଡିଏ କୁର୍ମାନାଥ ଆଜି ଫାଟୁସିନେରୀ ଓ ଫଗୁଣସିନେରୀରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ପଞ୍ଚାୟତ ଗୃହ ସହିତ ଅନ୍ୟାନ୍ୟ ସରକାରୀ ଗୃହର ଭୂମିପୂଜା କରିଯାଇଛନ୍ତି। ପାର୍ବତୀପୁରମ ପିଏ ଆଇଟିଡ଼ିଏ ଆର.କୁର୍ମା ନାଥ, ସାଲୁର ମଣ୍ଡଳ ବିଡିଓ ଜି. ପାର୍ବତୀ, ଡିଏସପି ସୁବାସ ପ୍ରମୁଖ ଆଜି ଫାଟୁସିନେରୀ ଓ ଫଗୁଣସିନେରୀ ଗସ୍ତକରି ହାତଗଣତି ଆନ୍ଧ୍ର ସମର୍ଥକ ଗ୍ରାମବାସୀଙ୍କୁ ଭେଟି ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଛନ୍ତି। ଗ୍ରାମର ହାତଗଣତି ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଗୃହର ଭୂମିପୂଜା କରିଯାଇଛନ୍ତି।
    ବିଶେଷକରି ଗତ ୧୬ ତାରିଖରେ ଆନ୍ଧ୍ର ଅଧିକାରୀଙ୍କ ସହିତ ସାଲୁର ବିଧାୟକ ପି.ରାଜନ ଦୋରାଙ୍କ ଫାଟୁସିନେରୀ ଓ ଫଗୁଣସିନେରୀ ଗସ୍ତକୁ ଓଡ଼ିଶାର ସର୍ବଦଳୀୟ ନେତା ଘୋର ବିରୋଧ କରିଥିଲେ। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ନେତା ମାନଙ୍କ ପ୍ରଭାବୀ ପଦର୍ଶନ ଆଖପାଖ ଗ୍ରମାବାସୀଙ୍କୁ ପ୍ରଭାବିତ କରିଥିଲା। ଓଡ଼ିଶା ପ୍ରତି ଅଧିକ ଆନୁଗତ୍ୟ ଗ୍ରାମାବସୀ ଦେଖାଇଥିଲେ। ଆନ୍ଧ୍ର ଅନୁପ୍ରବେଶକୁ ରୋକିବାକୁ ସେମାନେ ପଣ କରିଥିଲେ। ତେବେ ୩ ଦିନରେ ଗ୍ରାମାବସୀଙ୍କ ପଣ ଫସର ଫାଟିଛି। ଗତ ୧୬ ତାରିଖରେ ଅଧିକାରୀଙ୍କ ଉପସ୍ଥିତି ଓ ସର୍ବଦଳୀୟ ନେତାଙ୍କ ପ୍ରଦର୍ଶନ ପାଇଁ ସେଦିନ ଆନ୍ଧ୍ର ଅଧିକାରୀ ଓ ବିଧାୟକ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ। କିନ୍ତୁ ଆଜି ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବଶେ କରି କାର୍ଯ୍ୟକ୍ରମ କରିଛନ୍ତି। ବିଶେଷକରି କୋଟିଆ ଆଳରେ ଓଡ଼ିଶାର ସାମଗ୍ରୀକ ବିକାଶ ଏବେ ଆନ୍ଧ୍ର ଅଧିକାରୀ ଓ ରାଜନେତାଙ୍କୁ ବିଚଳିତ କରିଛି। ଏଭଳି ସ୍ଥିତିରେ ଗତ ଅଗଷ୍ଟ ୧୫ରେ ଆନ୍ଧ୍ର କୋଟିଆର ବିଭିନ୍ନ ଗ୍ରାମରେ ତେଲୁଗୁ ଭାଷାରେ ଫଳକ ପୋତିବାକୁ ଆନ୍ଧ୍ରର ଏକ ରାଜନୈତିକ ଦଳ ପକ୍ଷରୁ ଆନ୍ଧ୍ର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ଓଡ଼ିଶା ଅଗଷ୍ଟ ୧୫ ପୂର୍ବରୁ କୋଟିଆ ପଞ୍ଚାୟତ ସୀମାନ୍ତ ନେରେଡ଼ିବାଲସା,ତାଡ଼ିବାଲସା ,ଫାଟୁସିନେରୀ ଆଦି ବିଭିନ୍ନ ଗ୍ରାମରେ ସ୍ୱାଗତ ଫଳକ ପୋତି ଓଡ଼ିଶାର ପତିଆରାକୁ ଜାହିରି କରିଥିଲା। ତେବେ ଗତ ୧୬ ତାରିଖରେ ଆନ୍ଧ୍ର ସାଲୁର ବିଧାୟକ ପି. ରାଜନ ଦୋରା ଆନ୍ଧ୍ର ପ୍ରଶାସନିକ ଅଧିକାରୀ କୋଟିଆ ପଞ୍ଚାୟତର ଫଗୁଣସିନେରୀ ଓ ଫାଟୁସିନେରୀ ଗସ୍ତକରି ବନୀକରଣ, ପଟ୍ଟା ବଣ୍ଟନ ସହିତ ଅଙ୍ଗନବାଡ଼ି ଗୃହ ଭୂମି ପୂଜନରେ ଯେଗାଦେବାର କାର୍ଯ୍ୟକ୍ରମ ସ୍ଥିର କରିଥିଲେ। ତେବେ ଓଡ଼ିଶା ପକ୍ଷରୁ ଫାଟୁସିାନରୀରେ ଶକ୍ତି ପ୍ରଦର୍ଶନ ପରେ ଆନ୍ଧ୍ର ଅନୁପ୍ରବେଶକୁ ଦୃଢ଼ଭାବେ ରୋକା ଯାଇପାରିଥିଲା।