ଭାରତ ସମେତ ୩୫ ଦେଶ ମିଶି ପ୍ରସ୍ତୁତ କରୁଛନ୍ତି ‘ପୃଥିବୀର ସୂର୍ଯ୍ୟ’

ନୂଆଦିଲ୍ଲୀ,ଏଜେନ୍ସି, ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବିଦ୍ୟୁତ୍ ଆମ ପାଇଁ ଯେତିକି ଲାଭଦାୟକ, ପରିବେଶ ପାଇଁ ସେତିକି କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ସ୍ୱଚ୍ଛ ଶକ୍ତି ପାଇଁ ବିଶେଷ ଉପକରଣ ପ୍ରସ୍ତୁତ କରୁଛନ୍ତି ଯାହା ପୃଥିବୀରେ ସୂର୍ଯ୍ୟ ଭଳି ଶକ୍ତି ପ୍ରସ୍ତୁତ କରିବ। ଆଶା କରାଯାଉଛି ଭବିଷ୍ୟତରେ ଏହାଦ୍ୱାରା ଅନେକ ପରିବର୍ତ୍ତନ ହେବ। ଏହା କୌଣସି ଗୋଟିଏ ଦେଶର ପ୍ରୋଜେକ୍ଟ ନୁହେଁ, ଏହି ମେସିନ୍ ତିଆରି ପାଇଁ ୩୫ଟି ଦେଶକୁ ଏକାଠି ହେବାକୁ ପଡ଼ିଛି। ବୈଜ୍ଞାନିକମାନେ ୧୦ ବର୍ଷ ହେବ ଏକ ବିଶେଷ ଚୁମ୍ବକ ତିଆରିରେ ଲାଗିପଡ଼ିଛନ୍ତି ଯାହା ବିଶାଳକାୟ ମେସିନ୍ ଇଣ୍ଟରନାଶନାଲ ଥର୍ମୋନ୍ୟୁକ୍ଲିୟର୍ ଏକ୍ସପେରିମେଣ୍ଟଲ୍ ରିଏକ୍ଟର (ଆଇଟିଇଆର୍)ର ଅଂଶ। ଏହି ଚୁମ୍ବକର ନାମ ରଖାଯାଇଛି ‘ସେଣ୍ଟ୍ରାଲ୍ ସୋଲେନଏଡ୍’। ବୈଜ୍ଞାନିକଙ୍କ ଅନୁସାରେ, ଏହି ଚୁମ୍ବକ ପ୍ଲାଜ୍ମାରେ ଶକ୍ତିଶାଳୀ ବିଦ୍ୟୁତ୍ ପ୍ରବାହିତ କରିବ ଓ ଏହାଦ୍ୱାରା ସ୍ୱଚ୍ଛ ଶକ୍ତିର ନିର୍ମାଣ ହେବ।
ଏଥିରେ ହାଇଡ୍ରୋଜେନ୍ ପ୍ଲାଜମାକୁ ୧୫୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଗରମ କରାଯାଇପାରିବ ଯାହା ସୂର୍ଯ୍ୟର ଭିତର ଅଂଶରୁ ୧୦ ଗୁଣ ଅଧିକ ଗରମ ହେବ। ଏହି ମେସିନ୍ ଦ୍ୱାରା ଅଧିକ ମାତ୍ରାରେ ପ୍ରଦୂଷଣ କମ୍ କରାଯାଇ ସ୍ୱଚ୍ଛ ଶକ୍ତି ତିଆରି କରାଯିବ। ଏହିସବୁ ବିଶେଷତ୍ୱକୁ ଦେଖି ଏହାକୁ ‘ପୃଥିବୀର ସୂର୍ଯ୍ୟ’ କୁହାଯାଉଛି। ଏହି ଚୁମ୍ବକର ଲମ୍ବ ୫୯ ଫୁଟ ଓ ବ୍ୟାସ ଏକ ଫୁଟ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରରୁ ୨ ଲକ୍ଷ ୮୦ ହଜାର ଗୁଣ ଅଧିକ ଶକ୍ତିଶାଳୀ । ଏହା ମଧ୍ୟରେ ୧୦୦୦ ଫୁଟ ଲମ୍ବ ଓ ୧ ଲକ୍ଷ ଟନ୍ର ଏୟାରକ୍ରାଫ୍ଟକୁ ୬ ଫୁଟ ପର୍ଯ୍ୟନ୍ତ ପବନରେ ଉଠାଇବାର କ୍ଷମତା ଅଛି।
ଏହାକୁ ପୂର୍ବରୁ ଆମେରିକାର କାଲିଫର୍ଣ୍ଣିଆରେ ତିଆରି କରାଯାଉଥିଲା, କିନ୍ତୁ ଏବେ ଫ୍ରାନ୍ସ ଶିଫ୍ଟ କରାଯିବ। ସେଠାରେ ୨୦୨୩ ସୁଦ୍ଧା ଇନଷ୍ଟଲ୍ ହୋଇଯିବ। ଏହାପରେ ୨୦୨୫ ପର୍ଯ୍ୟନ୍ତ ଏହା ମାଧ୍ୟମରେ ଶକ୍ତି ଉତ୍ପନ୍ନ ହେବାର ସମ୍ଭାବନା ଅଛି। ଏହା ଉପରେ ୨୪ ବିଲିୟନ୍ ଡଲାର ଖର୍ଚ୍ଚ ହେବାର ଆଶା କରାଯାଉଛି। ଏହି ପ୍ରୋଜେକ୍ଟରେ ଭାରତ, ଚୀନ୍, ଜାପାନ, କୋରିଆ, ଋଷ, ଇଂଲଣ୍ଡ, ଆମେରିକା ଓ ସ୍ୱିଜରଲାଣ୍ଡ୍ ଭଳି ୩୫ଟି ଦେଶରୁ ସାହାଯ୍ୟ ନିଆଯାଉଛି।