ଏନ୍‌ଏଫ୍‌ଏଚ୍ ସର୍ଭେ: ଖୋଲାରେ ଶୌଚ କରୁଥିବା ସହରୀ ଲୋକଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ଜରିଆରେ ସାରା ଦେଶରେ ଗ୍ରାମାଞ୍ଚଳ ପରିବାରଙ୍କୁ ଶୌଚାଳୟ ନିର୍ମାଣ ଲାଗି ଅର୍ଥ ଅନୁଦାନ ପ୍ରଦାନ କରୁଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ବି ସମାନ ସୁବିଧା ମିଳୁଛି । ହେଲେ ଏସବୁ ପ୍ରୟାସ ସତ୍ତ୍ୱେ ବି ଭାରତ ଖୋଲା ଶୌଚମୁକ୍ତ ହୋଇପାରିନାହିଁ । ଏବେ ବି ଦେଶର ୧୯% ପରିବାର ଖୋଲାରେ ଶୌଚ କରୁଥିବା ଜାତୀୟ ଫ୍ୟାମିଲି ହେଲ୍‌ଥ ସର୍ଭେ(ଏନ୍‌ଏଚ୍‌ଏଫ୍‌ଏସ୍‌)-୫ ରିପୋର୍ଟରୁ ଜଣାପଡ଼ିଛି । ବିଶେଷ କରି ଓଡ଼ିଶାର ସହରାଞ୍ଚଳରେ ସବୁଠୁ ଅଧିକ ଲୋକ ଖୋଲାରେ ଶୌଚ କରୁଥିବା ଏହି ରିପୋର୍ଟ ଦର୍ଶାଇବା ପରେ ରାଜ୍ୟରେ ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ଛିଡ଼ାହୋଇଛି ।

୨୦୧୯-୨୧ରେ ସମାପନ ହୋଇଥିବା ଏନ୍‌ଏଚ୍‌ଏଫ୍‌ଏସ୍‌-୫ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶରେ ଏବେ ବି ୨୬% ଗ୍ରାମାଞ୍ଚଳ ପରିବାର ଏବଂ ୬% ସହରାଞ୍ଚଳ ପରିବାର ଖୋଲାରେ ଶୌଚ କରୁଛନ୍ତି । ଗ୍ରାମାଞ୍ଚଳ କଥା କହିଲେ ଦେଶର ବିଭିନ୍ନ ରାଜ୍ୟମାନଙ୍କ ଭିତରେ ବିହାରରେ ସବୁଠୁ କମ୍ ୬୨% ଲୋକଙ୍କ ପାଖରେ ଶୌଚାଳୟ ରହିଛି ବା ସେମାନେ ଶୌଚାଳୟର ବ୍ୟବହାର କରୁଛନ୍ତି । ଏହାପରେ ତାଲିକାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଝାଡ଼ଖଣ୍ଡ ଓ ଓଡ଼ିଶା ରହିଛନ୍ତି । ଝାଡ଼ଖଣ୍ଡରେ ୭୦% ଲୋକ ଶୌଚାଳୟର ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ୭୧% ଲୋକ ଶୌଚାଳୟର ବ୍ୟବହାର କରୁଛନ୍ତି । ଓଡ଼ିଶାରେ ଦେଶର ତୃତୀୟ ସର୍ବନିମ୍ନ ଶୌଚାଳୟ ରହିଛି ।

ଗ୍ରାମାଞ୍ଚଳରେ ଖୋଲାରେ ଶୌଚ କରୁଥିବା ପରିବାରଙ୍କ ସଂଖ୍ୟା ଦେଖିଲେ ବିହାରରେ ସର୍ବାଧିକ ୪୩.୯%, ଝାଡ଼ଖଣ୍ଡରେ ୪୧% ଓ ଓଡ଼ିଶାରେ ୩୭% ଲୋକ ଏବେ ବି ଗାଁ ଗହଳିରେ ଖୋଲାରେ ଶୌଚ କରୁଛନ୍ତି । ସେହିଭଳି ସହରାଞ୍ଚଳର ଲୋକଙ୍କ କଥା କହିଲେ, ଓଡ଼ିଶାର ୧୮.୫% ସହରବାସୀ ଏବେ ବି ଖୋଲାରେ ଶୌଚ କରୁଛନ୍ତି । ଯାହା କି ଦେଶରେ ସର୍ବାଧିକ । ବିହାରରେ ୧୧.୬% ଏବଂ ମହାରାଷ୍ଟ୍ରରେ ୧୧.୪% ସହରବାସୀ ଖୋଲାରେ ଶୌଚ କରୁଛନ୍ତି । ସହରାଞ୍ଚଳରେ ୧୧% ପରିବାର ଗୋଷ୍ଠୀ ଶୌଚାଳୟର ବ୍ୟବହାର କରୁଥିବା ବେଳେ ଗ୍ରାମାଞ୍ଚଳରେ ୭% ଗୋଷ୍ଠୀ ଶୌଚାଳୟର ବ୍ୟବହାର କରୁଛନ୍ତି । ସହର ତୁଳନାରେ ଗାଁମାନଙ୍କରେ ଗୋଷ୍ଠୀ ଶୌଚାଳୟର ସଂଖ୍ୟା କମ୍ ରହିବା ମଧ୍ୟ ଏହାର ଅନ୍ୟଏକ କାରଣ ହୋଇପାରେ ।

ତେବେ ୨୦୧୫-୧୬ ସର୍ଭେ ତୁଳନାରେ ଖୋଲାରେ ଶୌଚ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୧୯-୨୧ରେ ମଧ୍ୟରେ ୩୯% ହ୍ରାସ ହୋଇଥିବା ଜଣାପଡ଼ିଛି । ସର୍ଭେରୁ ଜଣାପଡ଼ିଛି ଯେ ୬୯% ପରିବାରଙ୍କର ନିଜସ୍ୱ ଶୌଚାଳୟ ରହିଛି, ଯାହାକି ବେଶ୍ ସ୍ୱଚ୍ଛ । ତେବେ ୮% ପରିବାର ଏଭଳି ରହିଛନ୍ତି, ଯେଉଁମାନଙ୍କର ନିଜସ୍ୱ ଶୌଚାଳୟ ରହିଥିଲେହେଁ ଏଥିରେ ସ୍ୱଚ୍ଛତାରେ ଆହୁରି ସୁଧାରର ଆବଶ୍ୟକତା ରହିଛି । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପରିବାରଙ୍କ ଭିତରୁ ୬୯%ଙ୍କ ପାଖେ ଶୌଚାଳୟ ରହିଥିବା ବେଳେ ଅନ୍ୟ ଜାତିର ପରିବାରଙ୍କ ଭିତରୁ ୯୩%ଙ୍କ ପାଖେ ଶୌଚାଳୟ ଥିବା ସର୍ଭେରୁ ଜଣାପଡ଼ିଛି ।