ଛୋଟ ବଡି ବିଲ୍‌ଡର୍‌

ବ୍ୟୁରୋ: ଉଚ୍ଚତା ପ୍ରାୟତଃ ସବୁ ସମୟରେ ସମସ୍ୟା ସୃଷ୍ଟି କରାଏ। କମ୍ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ ସମାଜରେ ହୀନ ଦୃଷ୍ଟିରେ ଦେଖାଯାଏ। ଲୋକମାନେ ଏହିପରି ମହିଳା ବା ପୁରୁଷଙ୍କୁ ଥଟ୍ଟା ପରିହାସ କରନ୍ତି। କିନ୍ତୁ ଦେଶର ଜଣେ କମ୍ ଉଚ୍ଚତା ବିଶିଷ୍ଟ ବଡି ବିଲ୍‌ଡର୍ ନିଜର ଉଚ୍ଚତାକୁ ହତିଆର ପରି ବ୍ୟବହାର କରି ସଫଳତାର ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରମାଣ କରିଦେଇଛନ୍ତି ଯେ ଉଚ୍ଚତା କମ୍ ହେଉ ବା ବେଶୀ ମଣିଷର ନିଷ୍ଠା ଓ ସାହସ ଆଗରେ ତାହା କିଛି ନୁହେଁ। ଏହି ବଡି ବିଲ୍‌ଡର୍‌ଙ୍କ ନାମ ପ୍ରତୀକ ବିଠଲ୍ ମୋହିତେ।

ମହାରାଷ୍ଟ୍ରର ୨୬ ବର୍ଷୀୟ ପ୍ରତୀକ ଶାରୀରିକ ଦୃଷ୍ଟିରୁ ପରଫେକ୍ଟ ନହେଲେ ବି ସେ ନିଜର ଏହି ଅଭାବକୁ ସଫଳତାର ଶିଡ଼ି କରିଛନ୍ତି। ପ୍ରତୀକଙ୍କ ଉଚ୍ଚତା ମାତ୍ର ୩ ଫୁଟ୍‌, ୪ ଇଞ୍ଚ୍। କେବେ ଛୋଟ ଉଚ୍ଚତାକୁ ନେଇ ତାଙ୍କୁ ଲୋକେ ପରିହାସ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ପୂରା ବିଶ୍ୱରେ ପ୍ରସିଦ୍ଧି ହାସଲ କରିଛନ୍ତି। ପ୍ରତୀକ ଦୃଢ଼ ନିଶ୍ଚୟ କରିଥିଲେ ଯେ ଜୀବନରେ ସେ କିଛି ନା କିଛି କରି ଦେଖାଇବେ। ତେଣୁ ସେ ନିଜ ମାମୁଙ୍କୁ ଦେଖି ୱର୍କଆଉଟ୍ କରିବା ଆରମ୍ଭ କରିଦେଲେ। ଜଣେ ସାଙ୍ଗଙ୍କ ପରାମର୍ଶକ୍ରମେ ପ୍ରତୀକ ଗିନିଜ ବୁକ୍ ଅଫ୍ ୱର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ତିନି ଥର ଚେଷ୍ଟା କରିବା ପରେ ଚତୁର୍ଥ ଥର ସଫଳ ହୋଇଛନ୍ତି।

ଏକ ରିପୋର୍ଟ ଅନୁସାରେ ୧୬ ବର୍ଷର ହୋଇଥିବା ବେଳରୁ ସେ ୱର୍କଆଉଟ୍ କରିବା ଆରମ୍ଭ କରିଥିଲେ। ସେ ସ୍ୱାସ୍ଥ୍ୟକାରୀ ଜଳଖିଆ ଖାଇବା ପରେ ଦିନରେ ବିଶେଷ ଧରଣର ଭୋଜନ କରନ୍ତି। ଏହା ବ୍ୟତୀତ ଦ୍ୱିପହରେ ସେ ଦୁଇ ଘଣ୍ଟା ପାଇଁ ଜିମ୍‌କୁ ଯାଆନ୍ତି। ସେ ତାଙ୍କ ଦିନର ସମାପନ ୩୦ ମିନିଟ୍‌ର ଦୀର୍ଘ ରାସ୍ତା ଦୌଡ଼ିବା ସହିତ କରିଥାନ୍ତି।