ଫ୍ରାନ୍ସର ଅଜବ ପାଠ୍ୟକ୍ରମ

କିଛି ଛାତ୍ରଛାତ୍ରୀ ଆମ ଦେଶରେ ରହି ପାଠ ପଢ଼ିବା ପାଇଁ ଉଚିତ ମନେ କରନ୍ତି ତ କିଛି ପିଲା ବିଦେଶରୁ ଡିଗ୍ରୀ ପ୍ରାପ୍ତ କରିବାକୁ ଚାହାନ୍ତି। ବିଦେଶ କଥା କହିବାକୁ ଗଲେ ସେଠାରେ ଏପରି କେତେକ ଡିଗ୍ରୀ ମିଳେ ଯାହା ଆମ ଦେଶରେ ସମ୍ଭବ ହୋଇ ନଥାଏ। ସେହିପରି ବିଦେଶରେ କିଛି ଏପରି ପାଠ୍ୟକ୍ରମ ରହିଛି ଯାହାକୁ ଆମ ଦେଶରେ କେହି ଚିନ୍ତା ବି କରି ପାରିବେ ନାହିଁ। ଖାଦ୍ୟ ଓ ପାନୀୟ ସବୁ ଜୀବଜନ୍ତୁଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ଏହାର ମହତ୍ତ୍ୱକୁ ଆଖି ଆଗରେ ରଖି ଫ୍ରାନ୍ସର ଏକ ବିଶ୍ୱବିଦ୍ୟାଳୟ ଖାଦ୍ୟ, ପାନୀୟ ଓ ବାସସ୍ଥାନ ଉପରେ ଏକ ଡିଗ୍ରୀ ଦେଉଛି। ଶୁଣିଲେ ଏହା ଅଜବ ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା। ଫ୍ରାନ୍ସ ଉତ୍କୃଷ୍ଟ ଖାଦ୍ୟର ଭେରାଇଟି, ବିଭିନ୍ନ ବ୍ରାଣ୍ଡ୍‌ର ୱାଇନ୍ ଓ ଦାମୀ ଜୀବନ ଶୈଳୀ ପାଇଁ ଜଣାଶୁଣା । ସେଥିପାଇଁ ଫ୍ରାନ୍ସର ସାଇନ୍ସସେସ୍ ପୋ ଲି ବିଶ୍ୱବିଦ୍ୟାଳୟ ଖାଦ୍ୟ, ପାନୀୟ ଓ ଜୀବନ ଜିଇଁବାର ଉପାୟ ଉପରେ ମାଷ୍ଟର ଡିଗ୍ରୀର କୋର୍ସ କରାଉଛି। ସାଇନ୍ସସେସ୍ ପୋ ଲି ବିଶ୍ୱବିଦ୍ୟାଳୟରର ୱେବ୍‌ସାଇଟ୍ ଅନୁସାରେ, ଏହି ପାଠ୍ୟକ୍ରମର ନାମ ବିଏମ୍‌ଭି ରଖାଯାଇଛିି।

ପାଠ୍ୟକ୍ରମରେ ଖାଦ୍ୟ, ପ୍ରସ୍ତୁତି, ଗ୍ୟାଷ୍ଟ୍ରୋ-ଡିପ୍ଲୋମାସୀ ସହିତ ଅନେକ ବିଷୟରେ ପଢ଼ାଯାଏ। ଏହି ପାଠ୍ୟକ୍ରମର ଅଧ୍ୟାପକ ବୋନୋଇଟ୍ ଲେଙ୍ଗେନ୍ ପ୍ରଥମେ ଏହି ଡିଗ୍ରୀର ଆରମ୍ଭ କରିଥିଲେ। ଏହା ଏକ ଉନ୍ନତମାନର ବିଶ୍ୱବିଦ୍ୟାଳୟ ଯାହା ହ୍ୟୁମାନ୍ ଓ ସୋସିଆଲ୍ ସାଇନ୍ସର ସମକାଳୀନ ମୁଦ୍ଦାଗୁଡ଼ିକୁ ପ୍ରସ୍ତୁତ କରେ। ସେଥିପାଇଁ ଏହି ପାଠ୍ୟକ୍ରମରେ ଖାଦ୍ୟ, ପାନୀୟ ଓ ରହିବା ସମ୍ପର୍କରେ ବିଶେଷ ଜ୍ଞାନ ପ୍ରାପ୍ତ କରିହେବ । ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଖାଦ୍ୟ ଓ ପାନୀୟ ଉପରେ ଆୟୋଜିତ ବିଭିନ୍ନ ସେମିନାର୍‌ରେ ଭାଗ ନେଇଥାନ୍ତି। ଏହି ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍ ଏପରି ପାଠପଢ଼ାକୁ ଦେଖି ଥଟ୍ଟା ପରିହାସ କରୁଥିଲେ। କିନ୍ତୁ ମାଷ୍ଟର ଡିଗ୍ରୀ ସମୟରେ ସେମାନଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା।