କାଲିଠୁ ବେଆଇନ୍ କଲ୍ୟାଣ ମଣ୍ଡପ ସିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଆଇନ୍ କଲ୍ୟାଣ ମଣ୍ଡପ ଉପରେ ବାଜିବ ଛାଟ। ଶନିବାରଠାରୁ ବିଏମସି ବିଡିଏର ମିଳିତ ଟିମ୍ ବେଆଇନ୍ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍ କରିବେ। ଏନେଇ ସିଲ୍ ହେବା ପାଇଁ ଥିବା କଲ୍ୟାଣ ମଣ୍ଡପ ଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇ ସାରିଥିବାବେଳେ ବିଭାଗୀୟ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ଓ ଦକ୍ଷିଣ ପୂର୍ବ ଦୁଇଟି ଜୋନରେ ଥିବା ବେଆଇନ୍ କଲ୍ୟାଣ ମଣ୍ଡପ ସିଲ୍ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଦିନେ ଦୁଇଦିନ ଭିତରେ ଦକ୍ଷିଣ ପଶ୍ଚିମ ଜୋନ୍ର ତାଲିକା ମଧ୍ୟ ଆସିଯିବ। ତେବେ ଉତ୍ତର ଜୋନ୍ରେ ଥିବା କଲ୍ୟାଣ ମଣ୍ଡପ ମଧ୍ୟରୁ କୌଣସି କଲ୍ୟାଣ ମଣ୍ଡପ ସରକାରୀ ନିୟମ ମାନିନାହାନ୍ତି।

ଏଥିପାଇଁ ଏହି ଜୋନ୍ର ସମସ୍ତ କଲ୍ୟାଣ ମଣ୍ଡପକୁ ସିଲ୍ କରିବା ପାଇଁ ଟିମ୍ ସୁପାରିସ୍ କରିଥିଲେ। ସୁପାରିସକୁ ଆଧାର କରି ସମସ୍ତ ଅନେକ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପକୁ ସିଲ୍ କରିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଏହା ବ୍ୟତୀତ ଦକ୍ଷିଣ ପୂର୍ବ ଜୋନ୍ରେ ଥିବା ଅନେକ ମଣ୍ଡପକୁ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିର୍ଘଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଏହି କଲ୍ୟାଣ ମଣ୍ଡପ ଗୁଡ଼ିକରେ ବିଭିନ୍ନ ସମୟରେ ବିବାହ ବ୍ରତ ଭଳି ବଡ଼ ବଡ଼ ଉତ୍ସବ ଆୟୋଜନ ହେଉଥିଲା। ଏହାକୁ ଭଡ଼ାରେ ଲଗାଇ ମାଲିକ ମାନେ ଲକ୍ଷ ଲକ୍ଷ ଟଙ୍କା କମଉଥିବା ବେଳେ ଟ୍ରେଡ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ, ୱେଷ୍ଟ ମ୍ୟାନେଜମେଣ୍ଟ ଭଳି ନିୟମକୁ ଖାତିର କରୁନଥିଲେ।