ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ଅଭିଯୋଗ: ବେତମାଡ଼ରେ ଅଚେତ ଯୁବକଙ୍କୁ ସାଷ୍ଟାଙ୍ଗ ପରେ ମାଡ଼

ଇଣ୍ଡୋନେସିଆ: ବିବାହ ପୂର୍ବରୁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା ଅଭିଯୋଗରେ ଜଣେ ଯୁବକ ବେତମାଡ଼ ଖାଇ ବେହୋସ୍ ହେବାପରେ ତାଙ୍କୁ ଚେତା କରାଇ ପୁଣି ବେତମାଡ଼ ଦିଆଯାଇଥିଲା। ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏହି ଘଟଣା ଘଟିଛି। ସେଠାରେ ବସବାସ କରୁଥିବା ମୁସଲିମ ପରିବାରକୁ ଜୁଆ, ମଦ୍ୟପାନ, ସମଲିଙ୍ଗୀ ଓ ପ୍ରାକ୍ ବିବାହ ସମ୍ପର୍କଠାରୁ ଦୂରେଇ ରହିବାକୁ ସ୍ଥାନୀୟ ଇସ୍ଲାମିକ ଆଇନ ପରାମର୍ଶ ଦେଇଛି। ଗୁରୁବାର ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପ୍ରାକ୍ ବିବାହ ସମ୍ପର୍କ ଅଭିଯୋଗରେ ମୁଖାପିନ୍ଧା ସାରିଆ ଅଧିକାରୀ କଳଙ୍କି ଲୁହାଛଡ଼ରେ ମାଡ଼ ଦେଉଥିବା ବେଳେ ଯୁବକଜଣକ ବେହୋସ୍ ହୋଇଯାଇଥିଲେ। ତାଙ୍କୁ ସାଷ୍ଟାଙ୍ଗ କରାଇ ପୁଣି ମାଡ଼ ଦିଆଯାଇଥିଲା। ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୫୦୦ ପାଖାପାଖି ଲୋକ ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ।