ନିତିଦିନ ଲିମକା ମେମୋରିଆଲ ବାସ୍କେଟବଲ ଉଦଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବାସ୍କେଟବଲ ଆସୋସିଏନ ଆନୁକୂଲ୍ୟରେ ୫ମ ନିତିଦିନ ସୟଦ୍ ୱାକର ୟୁନୁସ୍ ‘ଲିମକା’ ମେମୋରିଆଲ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ୟୁନିଟ୍-୧ ଇଣ୍ଡୋର ହଲ ପରିସରରେ ଆରମ୍ଭ ହୋଇଛି। ଓଡ଼ିଶା ବାସ୍କେଟବଲ ଆସୋସିଏସନ ସମ୍ପାଦକ ଜ୍ଞାନରଞ୍ଜନ ପରିଡା ଏବଂ ଭୁବନେଶ୍ୱର ବାସ୍କେଟବଲ ଆସୋସିଏସନ ସଭାପତି ସୟଦ ମକବୁଲ ଅଲ୍ଲୀ ଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।

ଏହି ଟୁର୍ଣ୍ଣମେଣ୍ଟର ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା ଆୟୋଜିତ ହେଉଛି। ପୁରୁଷ ବିଭାଗରେ ୬ଟି ଏବଂ ମହିଳା ବିଭାଗରେ ୩ଟି ଦଳ ଅଂଶଗ୍ରହଣ କରିଛନ୍ତି। ସେଗୁଡିକ ହେଲା ଭୁବନେଶ୍ୱର ବାସ୍କେଟବଲ ଆସୋସିଏସନ (ବିବିଏ), ଭୁବନେଶ୍ୱର ଆଥଲେଟିକ ଆସୋସିଏସନ (ବିଏଏ) ଓ ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ ଆସୋସିଏସନ (କେଡିବିଏ)। ମହିଳା ବିଭାଗ ରାଉଣ୍ଡ ରବିନ୍ ଲିଗ୍ ଭିତ୍ତିରେ ଖେଳାଯିବ। ସର୍ବାଧିକ ପଏଣ୍ଟ ପାଇଥିବା ଦଳ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିବେ। ଗୁରୁବାର ପ୍ରଥମ ମ୍ୟାଚ୍ରେ ବିଏଏ ୫୫-୩୩ ପଏଣ୍ଟରେ ବିବିଏକୁ ପରାସ୍ତ କରିଛି।

ପୁରୁଷ ବିଭାଗରେ ୬ଟି ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ଏହା ମଧ୍ୟରୁ ଗ୍ରୁପ୍-ଏ’ରେ ଓଡ଼ିଶା ଷ୍ଟୁଡେଣ୍ଟ କ୍ଲବ୍, ଭୁବନେଶ୍ୱର ବାସ୍କେଟବଲ ଆସୋସିଏସନ (ବିବିଏ) ଓ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ-ବ୍ଲ୍ୟୁ (ବିଏଏ-ବ୍ଲ୍ୟୁ)ଟିମ୍ ଅଂଶଗ୍ରହଣ କରୁଛନ୍ତି। ଗ୍ରୁପ୍-ବି’ରେ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ-ବ୍ଲ୍ୟୁ (ବିଏଏ-ରେଡ୍), ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ ଆସୋସିଏସନ (କେଡିବିଏ) ଓ କିଟ୍ ୟୁନିଭର୍ସିଟି ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ଗ୍ରୁପ ପର୍ଯ୍ୟାୟରେ ରାଉଣ୍ଡ ରବିନ୍ ଲିଗ୍ ଭିତ୍ତିରେ ମ୍ୟାଚ୍ ଖେଳାଯିବା ପରେ ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଆସନ୍ତା ୮ରେ ସେମିଫାଇନାଲ ସହ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ। ଉଦ୍ଘାଟନୀ ଦିବସରେ ବିଏଏ-ବ୍ଲୁ ୭୯-୬୭ ପଏଣ୍ଟରେ ବିବିଏ’କୁ ଏବଂ ବିଏଏ-ରେଡ୍ କେଡିବିଏ’କୁ ୭୮-୭୧ ପଏଣ୍ଟରେ ପରାସ୍ତ କରିଛି।