ଲୁଟେରାଙ୍କୁ ଜଗିବ ସିସି କ୍ୟାମେରା, ୧୨୯ ସ୍ଥାନରେ ଲାଗିବ ୫୯୨

  • ଭୁବନେଶ୍ୱର: ଏଣିକି ସହରର ସବୁ ଗଳିକନ୍ଦିରେ ଲାଗିବ ସିସିଟିଭି କ୍ୟାମେରା। ଲୁଟେରାମାନେ ଆତଙ୍କ ଖେଳାଉଥିବା ବଛବଛା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ୟାମେରା ଲାଗିବ। ଏଥର ସବୁ ସିସିଟିଭି ବ୍ୟବସ୍ଥାକୁ ପୁଲିସ ନିୟନ୍ତ୍ରଣ କରିବ। ଏଭଳି ଏକ ଯୋଜନା କରିଛି କମିସନରେଟ ପୁଲିସ। ସ୍ମାର୍ଟସିଟି ସହ ଆଲୋଚନା ସରିଛି। ସବୁ ଜୋନ୍ ଏସିପିଙ୍କଠାରୁ ବାରମ୍ବାର ଅପରାଧ ଘଟୁଥିବା ସ୍ଥାନଗୁଡ଼ିକର ତାଲିକା ପ୍ରସ୍ତୁତ ହୋଇଛି। ତାଲିକା ଅନୁସାରେ ୧୨୯ ନୂଆ ଜାଗାରେ ୫୯୨ ସିସିଟିଭି କ୍ୟାମେରା ଲାଗିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ସ୍ମାର୍ଟସିଟିକୁ ପ୍ରଦାନ କରାଯିବା ପରେ ତୁରନ୍ତ କ୍ୟାମେରା ସଂସ୍ଥାପନ ହେବ। ସମସ୍ତ ଜୋନ ଏସିପିଙ୍କୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ସ୍ପଷ୍ଟ ହୋଇଛି। ଭବାନୀ ମଲ୍ରେ ଥିବା ସ୍ମାର୍ଟସିଟିର କଣ୍ଟ୍ରୋଲ ରୁମ୍ ଏବେ କମିସନରେଟ ପୁଲିସ ହାତକୁ ଆସିବାକୁ ଥିବାରୁ ଡିସିପିଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମର ପ୍ରସ୍ତୁତି ଶେଷ ହେବାକୁ ଯାଉଛି।
    ସୂଚନାନୁସାରେ, ରାଜଧାନୀରେ ଷ୍ଟ୍ରିଟ କ୍ରାଇମ କମିସନରେଟ ପୁଲିସର ନିଦ ହଜାଇଛି। ବାହାର ଜିଲ୍ଲାରୁ ଆସି ଭୁବନେଶ୍ୱରରେ ଲୁଟ୍ପାଟ୍ କରି ଲୁଟେରାମାନେ ଚମ୍ପଟ ମାରୁଛନ୍ତି। ବିଭିନ୍ନ ଥାନାରେ ସ୍ୱତନ୍ତ୍ର ‘ଟିମ୍-୬୦’ ଗଠନ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ସାବାଡ଼ କରିବା ଦିଗରେ ଆଶାନୁରୂପ ସଫଳତା ମିଳିପାରୁନାହିଁ। ପୂର୍ବରୁ କମିସନରେଟ ପୁଲିସର ଦେଢ଼ଶହ ଓ ସ୍ମାର୍ଟସିଟିରେ ମଧ୍ୟ ଶତାଧିକ କ୍ୟାମେରା ଲାଗିଛି। କିନ୍ତୁ ଲୁଟେରାମାନେ ସିସିଟିଭି ଲାଗିଥିବା ସ୍ଥାନକୁ ଛାଡ଼ି ଅନ୍ୟ କିଛି ସ୍ଥାନରେ କାଣ୍ଡ କରି ଫେରାର୍ ହୋଇଯାଉଛନ୍ତି। ତେଣୁ ପ୍ରତ୍ୟେକ ଗଳିକନ୍ଦି ଓ ବସ୍ତିକୁ ନଜରରେ ରଖିବାକୁ ଏହି ନୂଆ ଯୋଜନା ହୋଇଛି। ତେଣୁ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିବାକୁ ଜୋନ୍ ଏସିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ବସିଥିବା ବୈଠକରେ ଏସିପିମାନେ ଏହି ସମ୍ବେଦନଶୀଳ ଜାଗାମାନଙ୍କର ତାଲିକା ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ପଣ୍ଡା ପାର୍କ ଗଳି, ରାଜଧାନୀର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ଶିଖରଚଣ୍ଡି ବସ୍ତି, ଝାରପଡ଼ା କେନାଲ ରୋଡ, ବଡ଼ଗଡ଼ ବ୍ରିଟ କଲୋନି ଛକ, ରସୁଲଗଡ଼ ଓ ଚକେଇସିଆଣି ଭଳି ୧୨୯ ଜାଗା ରହିଛି। ପୂର୍ବରୁ କିଛି କ୍ୟାମେରାର ନିୟନ୍ତ୍ରଣ ସ୍ମାର୍ଟସିଟି ହାତରେ ଥିଲା। ସ୍ମାର୍ଟ ସିଟି କଣ୍ଟ୍ରୋଲ ରୁମ୍ ଭବାନୀ ମଲ୍ରେ ରହିଥିଲା। ଆବଶ୍ୟକ ପଡ଼ିଲେ ପୁଲିସ ସ୍ମାର୍ଟସିଟିକୁ ଫୁଟେଜ୍ ମାଗୁଥିଲା। କିନ୍ତୁ ଏବେ ସମସ୍ତ ସିସିଟିଭି ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ ହେବ ଓ ଏହାର ଦାୟିତ୍ୱ ପୁଲିସ ହାତରେ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ନୂଆ ଯୋଜନାରେ ଅପରାଧ ନିୟନ୍ତ୍ରଣ ସହିତ ଟ୍ରାଫିକ୍ ଜାମ୍ ଭଳି ସମସ୍ୟାର ତ୍ୱରିତ ସମାଧାନ ହୋଇପାରିବ। ଅମାନିଆ ଚାଳକମାନେ ଅଧିକ ବେଗରେ ଯାଉଥିବାବେଳେ ଅଟୋମେଟିକ୍ ଟ୍ରାଫିକ୍ ଭାଓଲେସନ ଡିଟେକ୍ସନ ସିଷ୍ଟମ୍ ବ୍ୟବସ୍ଥାରେ ଧରାପଡ଼ିବେ। ପୁରୁଣା ଅପରାଧୀ ମଧ୍ୟ ଧରାପଡ଼ିବେ ବୋଲି ପୁଲିସ ଆଶା ବାନ୍ଧିଛି।